ପ୍ରେମିକ କହିଲା ଆଗ ଛୁଆ ଜନ୍ମ କର ତା’ପରେ ବାହାଘର ! ଏବେ ନ୍ୟାୟ ଦାବିରେ ପ୍ରେମିକ ଘର ଆଗରେ ବସିଛନ୍ତି ମା’ ଛୁଆ, ପ୍ରେମିକ ଫେରାର୍….
ଗଢୱା: ପ୍ରେମ ଅନ୍ଧ । କିନ୍ତୁ ପ୍ରେମ କରୁଥିବା ଲୋକ ଅନ୍ଧ ହୋଇଗଲେ ଘଟେ ଅପରାଧ । ଏଇ ଯେମିତି ଘଟିଛି ରେଖାଙ୍କ କ୍ଷେତ୍ରରେ । ବିବାହ ପ୍ରତିଶ୍ରୁତି ଦେଲା ପ୍ରେମିକ । କହିଲା ଆଗ ଛୁଆ ତା’ ପରେ ବାହାଘର । ଯେଉଁଥିରେ ରେଖା ଭରସା କରି ଏବେ ହଇରାଣ ହେଉଛି । ଆଶ୍ରୟ ଟିକକ ପାଇଁ ଦୁଆର ଦୁଆର ବୁଲୁଛି । ଆଉ ଏବେ ପ୍ରେମିକର ଦାଣ୍ଡ ପାଲଟିଛି ତା’ ଠିକଣା ।
ଝାରଖଣ୍ଡ ଟାଟିଡିରି ଗାଁର ରେଖା । କାଖରେ ପିଲାକୁ ଧରି ବସିଛନ୍ତି ଦେବଗାନା ଗାଁର ପ୍ରେମିକ ଘର ଦାଣ୍ଡରେ । ସେପଟେ ପ୍ରେମିକ ଘର ଦୁଆରେ ପଡ଼ିଛି ତାଲା । ପ୍ରେମିକ ସୁଜିତ ପରିବାର ସହ ଫେରାର୍ ଥିବାବେଳେ ସେମାନଙ୍କ ବାଟକୁ ଚାହୁଁ ବସିଛନ୍ତି ରେଖା । ରେଖାଙ୍କ ଜୀବନରେ ଏବେ ଦେଖାଦେଇଛି ଦୁଃଖର କଳା ବାଦଲ । କୁନି ପିଲାଟିକୁ ଧରି ରେଖା ଏକାକି ଏବେ ଧାରଣାରେ ବସିଛନ୍ତି । ପାଖରେ ସାହସ କି ଆହା ପଦେ କହିବାକୁ କେହି ନାହାନ୍ତି । ଗତବର୍ଷ ଛଟ ପୂଜାରେ ରେଖା ଯାଇଥିଲେ ତାଙ୍କ ବଡ଼ ଭଉଣୀ ଘରକୁ । ରେଖାଙ୍କ ଭଉଣୀ ଦେବଗାନାରେ ବିବାହ କରିଛନ୍ତି । ସେଠାରେ ରହିବା ବେଳେ ରେଖାଙ୍କ ଦେଖା ହୁଏ ପ୍ରେମିକ ସୁଜିତଙ୍କ ସହ । ସମ୍ପର୍କରେ ସୁଜିତ ରେଖାଙ୍କ ବଡ଼ ଭଉଣୀଙ୍କ ଦୂର ସମ୍ପର୍କୀୟ ଦିଅର ହେବେ । ଦୁହେଁ ଧିରେ ଧିରେ କଥା ହେଉ ହେଉ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ ଦୁହେଁ ଦିନ ରାତି ଫୋନରେ କଥା ହେବା ଆରମ୍ଭ କଲେ ।
ଏହାପରେ ଦୁଂହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଲା । ଚଳିତବର୍ଷ ହୋଲିବେଳେ ରେଖା ଜାଣିବାକୁ ପାଇଲେ ଯେ, ସେ ଗର୍ଭବତୀ ଅଛନ୍ତି । ଏ କଥା ସେ ଯେତେବେଳେ ସୁଜିତଙ୍କୁ କହିଲେ, ସେତେବେଳେ ସୁଜିତ ରେଖାଙ୍କୁ କହିଲେ ଯେ, ପ୍ରଥମେ ପିଲାଙ୍କୁ ଜନ୍ମ ଦିଅ ତା’ ପରେ ବାହା ହେବା । ଏମିତି କଲେ ଆମକୁ ଆଉ ଗର୍ଭପାତ କରିବାକୁ ପଡ଼ିବ ନାହିଁ । ଅନ୍ଧ ଭଳି ସୁଜିତଙ୍କୁ ଭଲପାଉଥିବା ରେଖା ତାଙ୍କ କଥାରେ ପଡ଼ି ଶେୟା ହିଁ କଲା । କୁଆଁରୀ ହୋଇ ପିଲା ଜନ୍ମ କଲା । ଏମିତି ସ୍ଥିତିରେ ରେଖାଙ୍କୁ ବନ୍ଧୁ ପରିବାର ଲୋକଙ୍କ ଟାହି ଟାପରା ମଧ୍ୟ ଶୁଣିବାକୁ ପଡ଼ିଥିଲା । କିନ୍ତୁ ସୁଜିତଙ୍କ ପ୍ରେମରେ ପଡ଼ି ରେଖା ଏଭଳି ପ୍ରଭାବିତ ଥିଲେ ଯେ, ପାଖପଡ଼ୋଶୀଙ୍କ କଟୁ କଥା ତାଙ୍କ ଉପରେ କୌଣସି ପ୍ରଭାବ ପକାଉ ନଥିଲା । ପିଲା ଜନ୍ମ ବେଳେ ସୁଜିତଙ୍କ ଦେଖା ନ ଥିଲା । ସୁଜିତର ଅସଲ ଚରିତ୍ର ବୁଝିଲାବେଳକୁ ରେଖା କୋଳରେ ପିଲାଟିଏ ଥିଲା । ଆଉ ଏବେ ମା’ ଛୁଆ ନିଜ ଅଧିକାର ପାଇଁ ପ୍ରେମିକ ସୁଜିତ ଘରେ ଧାରଣାରେ ବସିଛନ୍ତି । ରେଖା କେବଳ ନିଜର ଓ ପିଲାର ଅଧିକାର ଚାହୁଁଥିବା କହିଛନ୍ତି । ସ୍ଥାନୀୟ ନାରୀ ନେତ୍ରୀ ରେଖାଙ୍କୁ ଭେଟିବା ସହ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କରେ ପଚାରି ବୁଝିଛନ୍ତି । ରେଖାଙ୍କୁ ନ୍ୟାୟ ଦେବାରେ ସେମାନେ ତାଙ୍କୁ ସାହାଯ୍ୟ କରିବେ ବୋଲି ଆଶ୍ୱସନା ମଧ୍ୟ ଦେଇଛନ୍ତି ।