fbpx

ମହିଳାମାନେ ଅଧିକ ଭାବୁକ ହୋଇଥାନ୍ତି, ସେମାନେ କ୍ଷମା ମାଗିବା ଉଚିତ୍ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଆଶା ମେନନ୍ ଶୁକ୍ରବାର ଦିନ କହିଛନ୍ତି ଯେ, ଅନେକଥର ମହିଳାମାନେ କୌଣସି ପରିସ୍ଥିତିରେ ଅତିଷ୍ଠ ହୋଇଯାଆନ୍ତି ଏବଂ ବୋଧହୁଏ ଅଧିକ ଭାବପ୍ରବଣ ହେଇଯାଆନ୍ତିି, କିନ୍ତୁ ସେମାନେ ଏଥିପାଇଁ କ୍ଷମା ମାଗିବା ଉଚିତ୍ ନୁହେଁ ।’

ଶୁକ୍ରବାର ଦିନ ବିଦାୟୀ କାର୍ଯ୍ୟକ୍ରମରେ ଭାଷଣ ଦେଇ ଜଷ୍ଟିସ୍ ମେନନ କହିଛନ୍ତି ଯେ, ‘ଅନେକଥର ଆମେ ଏପରି ସ୍ଥିତିରେ ଅତିଷ୍ଠ ହୋଇପଡୁ, ଯାହାଫଳରେ ଅଧିକ ଭାବପ୍ରବଣ ଓ ସମ୍ଭାଳିବା କଷ୍ଟକର ହୋଇପଡେ । ବୋଧହୁଏ ଜଣେ ମହିଳାଙ୍କ ଭାବରେ ଆମେ ଅଧିକ ଭାବୁକ ହୋଇପାରୁ । ମୋତେ ଲାଗୁନାହିଁ ଏଥିପାଇଁ ଆମେ କ୍ଷମାପ୍ରାର୍ଥନା କରିବା ଉଚିତ୍ । ସେଥିପାଇଁ ମୁଁ ସବୁବେଳେ ସମସ୍ତ ଶକ୍ତିଶାଳୀ ମହିଳାଙ୍କୁ ନମସ୍କାର କରୁଛି ।’

ତେବେ ଜଷ୍ଟିସ ମେନନଙ୍କୁ ଶନିବାର ଦିନ ୬୨ ବର୍ଷ ବୟସ ହୋଇଛି । ସେ ଏକ ପୁରୁଣା ଘଟଣାକୁ ମନେ କପାଇ ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ସେ ନିଜ ପୁଅର ଦେଖାଶୁଣା କରିବା ପାଇଁ ଟିସ ହଜାରି କୋର୍ଟରୁ ତାଙ୍କ ଘର ନିକଟସ୍ଥ ଅନ୍ୟ ଏକ କୋର୍ଟକୁ ଟ୍ରାନ୍ସଫର କରିବାକୁ ଚାହୁଁଥିଲେ । ସେତେବେଳେ ତାଙ୍କ ପୁଅ ମାତ୍ର ୧ ବର୍ଷ ବୟସର ଥିବା ବେଳେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା । ଥରେ ସେ ନିଜ ପୁଅକୁ ମେଡିକାଲରେ ନେଇ ଯାଇଥିଲେ, ଯାହାଫଳରେ ୧ ଘଣ୍ଟା ବିଳମ୍ବରେ କୋର୍ଟରେ ପହଞ୍ଚିଥିଲେ । ଜଣେ ଯୁବ ଓକିଲଙ୍କୁ କିଛି ଭୁଲ ବୁଝମଣା ହୋଇଥିଲା ଓ ସେ ବାର ଆସୋସିଏସନକୁ ଡାକିଥିଲେ । ସେମାନେ ସମସ୍ତେ କୋର୍ଟ ରୁମରେ ଏକାଠି ହୋଇଥିଲେ, ଯେଉଁଠାରେ ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ‘ଯଦି କାମ କରିପାରିବ ନାହିଁ, ତେବେ ଘରେ ବସିପଡ଼ ।’

ଜଷ୍ଟିସ୍ ମେନନ୍ କହିଛନ୍ତି ଯେ, ମୋର ନିଷ୍ପତ୍ତି ଥିଲା ଯେ ମୁଁ ଏଠାରେ ରହିବି ଏବଂ ସେମାନେ ମଧ୍ୟ ରହିବେ । ଦେଖିବା କିଏ ଏହି କାମ କରିବା ଜାଣିଛି । ପରେ ଯୁବ ଓକିଲ କ୍ଷମା ମାଗିଥିଲେ । ଜଷ୍ଟିସ୍ ମେନନ୍ ୧୭ ସେପ୍ଟେମ୍ବର ୧୯୬୦ ରେ କେରଳରେ ଜନ୍ମଗ୍ରହଣ କରିଥିଲେ ଏବଂ ନଭେମ୍ବର ୧୯୮୬ ରେ ଦିଲ୍ଲୀ ଜୁଡିସିଆଲ୍ ସର୍ଭିସରେ ଯୋଗ ଦେଇଥିଲେ । ସେ ୨୭ ମେ ୨୦୧୯ ରେ ଦିଲ୍ଲୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ପଦୋନ୍ନତି ପାଇଥିଲେ ।

Get real time updates directly on you device, subscribe now.