fbpx

ସୋସିଆଲ୍ ମିଡିଆରେ ପାକିସ୍ତାନୀ ଯୁବକଙ୍କ ସହ ହେଲା ପ୍ରେମ, ଭାରତୀୟ ସ୍ୱାମୀ କରାଇଲେ ସ୍ତ୍ରୀର ବିବାହ; ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜରିଆରେ ଜଣେ ମହିଳାଙ୍କୁ ଏକ ପାକିସ୍ତାନୀ ଯୁବକଙ୍କ ସହ ପ୍ରେମ ହୋଇଯାଇଥିଲା । ସେ ବିବାହିତା ହୋଇଥିବା ସତ୍ତେ୍ୱ ଜଣେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ିଯାଇଥିଲେ । ଏହାପରେ ଲାହୋର୍ ଯାଇ ମହିଳା ଜଣକ ପୋଲିସ୍ ଓ ତାଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ପ୍ରେମିକଙ୍କୁ ବିବାହ କରିଛନ୍ତି । ତେବେ ବିବାହ ପୂର୍ବରୁ ମହିଳା ଜଣକ ଇସଲାମ୍ ଧର୍ମକୁ ପରିବର୍ତ୍ତନ କରିଥିଲେ । ଉକ୍ତ ମହିଳା ଓ ତାଙ୍କର ପ୍ରଥମ ସ୍ୱାମୀ ଦୁହେଁ ମୁକ ଓ ବଧିର । ଖାଲି ସେତିକି ନୁହେଁ ମହିଳାଙ୍କ ଦ୍ୱିତୀୟ ସ୍ୱାମୀ ମଧ୍ୟ ମୁକ-ବଧିର । ହେଲେ ବିବାହ ପରେ ପାକିସ୍ତାନ ସରକାର ଦ୍ୱାରା ସେଠାରେ ରହିବାକୁ ଅନୁମତି ଦେଇନଥିଲେ, ଯେଉଁଥିପାଇଁ ମହିଳା ଜଣକ ପ୍ରଥମ ସ୍ୱାମୀଙ୍କ ସହ ଭାରତ ଫେରିଆସିଥିଲେ । ମହିଳା ଜଣକ କୋଲକାତାରେ ରହୁଛନ୍ତି ।

ସୂଚନା ଅନୁସାରେ, କୋଲକାତାରେ ରହୁଥିବା ଏହି ମହିଳା ଜଣକ ନଭେମ୍ବର ୧୭ ତାରିଖରେ ଅଟାରୀ ଦେଇ ସୀମାପାର୍ କରି ପାକିସ୍ତାନ ଯାଇଥିଲେ । ସେ ସେଠାକୁ ଶ୍ରୀ ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବକୁ ଏକ ଗୋଷ୍ଠୀଙ୍କ ସହ ଯାଇଥିଲେ । ୨୩ ତାରିଖରେ ସେମାନେ ଯେବେ ଲାହୋରରେ ପହଞ୍ଚିଥିଲେ ସେତେବେଳେ ମହିଳା ଜଣକ ନିଜ ପ୍ରେମିକ ମହମ୍ମଦ୍ ଇମ୍ରାନ୍ ଙ୍କ ପାଖକୁ ଚାଲିଯାଇଥିଲେ । ଏହାପର ଦିନ ୨୪ ତାରିଖରେ ମହିଳା ଜଣକ ଧର୍ମ ପରିବର୍ତ୍ତନ କରି ମହମ୍ମଦ୍ ଙ୍କୁ ବିବାହ କରିଥିଲେ । ଧର୍ମ ପରିବର୍ତ୍ତନ କରିବା ପରେ ସେ ନିଜ ନାମ ପ୍ରବୀଣ ସୁଲତାନା ରଖିଥିଲେ ।

ବିବାହ ପରେ ମହିଳା ଏବଂ ତାଙ୍କ ପାକିସ୍ତାନୀ ସ୍ୱାମୀ ଲାହୋର କୋର୍ଟରେ ଆବେଦନ କରି ମହିଳାଙ୍କୁ ପାକିସ୍ତାନରେ ରହିବାକୁ ଅନୁମତି ମାଗିଥିଲେ, ଯାହାକୁ କୋର୍ଟ ଖାରଜ କରିଦେଲେ । ଯାହା ପରେ ସେ ତାଙ୍କ ଭାରତୀୟ ସ୍ୱାମୀଙ୍କ ସହିତ ଫେରି ଆସିଥିଲେ । ଏଠାରେ ପହଞ୍ଚିବା ପରେ ସେ ପାକିସ୍ତାନ ଭିସା ପାଇଁ ଆବେଦନ କରିବାକୁ ସୂଚାଇ ଦେଇଛନ୍ତି । ଦିଲ୍ଲୀ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ପରମଜିତ ସିଂ ସରନା କହିଛନ୍ତି ଯେ ଏଭଳି ପଦକ୍ଷେପ ଭବିଷ୍ୟତ ପାଇଁ ବିପଦ ହୋଇପାରେ।

 

Get real time updates directly on you device, subscribe now.