fbpx
BJD SKY
BJD SKY

ମହିଳା ଦିନିକିଆ ବିଶ୍ୱକପ୍:ନ୍ୟୁଜିଲାଣ୍ଡକୁ ହରାଇ ୱେଷ୍ଟଇଣ୍ଡିଜର ରୋମାଞ୍ଚକର ବିଜୟ ହାସଲ

BJD

ମାଉଣ୍ଟ ମାଉଙ୍ଗାନୟୁ (ନ୍ୟୁଜିଲାଣ୍ଡ): ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପର ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ହେଲେ ମାଥ୍ୟୁଜଙ୍କ ଲଢ଼ୁଆ ଶତକ ବଳରେ ୱେଷ୍ଟଇଣ୍ଡିଜ ଘରୋଇ ନ୍ୟୁଜିଲାଣ୍ଡକୁ ୩ ରନରେ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଦଳର ଅଧିନାୟିକା ସୋଫି ଡେଭିନେ ଟସ୍‌ ଜିତିବା ପରେ ଫିଳ୍‌ଡିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୫୯ ରନ କରିଥିଲା । ଦଳ ପକ୍ଷରୁ ହେଲେ ମାଥ୍ୟୁଜ ୧୬ ଚୌକା ଓ ୧ ଛକା ବଳରେ ୧୨୮ ବଲରୁ ସର୍ବାଧିକ ୧୧୯ ରନ କରିଥିବା ବେଳେ ଦଳର ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ଆଶନୁରୂପ ହୋଇ ପାରି ନ ଥିଲା ।

ତେବେ ୨୦୦୦ ମହିଳା ଦିନିକିଆ ବିଶ୍ୱକପ ଚାମ୍ପିଅନ ନ୍ୟୁଜିଲାଣ୍ଡ ୨୬୦ ରନ ଟାର୍ଗେଟକୁ ପିଛା କରି ସୋଫି ଡେଭିନେଙ୍କ ୧୦୮ ବଳରେ ବିଜୟ ନିକଟତର ହୋଇଥିଲା । ମାତ୍ର ୱେଷ୍ଟଇଣ୍ଡିଜ ବୋଲର ଚିନେଲେ ହେନରୀ ଏକ ଦର୍ଶନୀୟ ରିଟର୍ଣ୍ଣ କ୍ୟାଚ ନେଇ ଡେଭିନେଙ୍କୁ ୪୫ତମ ଓଭରରେ ପ୍ୟାଭିଲିୟନ ଫେରାଇ ଦେବା ପରେ ନ୍ୟୁଜିଲାଣ୍ଡ ପ୍ରବଳ ଚାପରେ ପଡି ଯାଇଥିଲା । ତେବେ ଶେଷ ଓଭରରେ ବିଜୟ ପାଇଁ ଆବଶ୍ୟକ ୬ ରନ ସଂଗ୍ରହ କରିବାରେ ବିଫଳ ହୋଇଥିଲା । କାରଣ ଏହି ଓଭରର ୪ ବଲରେ ୩ ୱିକେଟ ହରାଇବା ଫଳରେ କେବଳ ୩ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ଅଲରାଉଣ୍ଡର ଡଟିନ ଏକାକୀ ଏଥିରୁ ୨ ୱିକେଟ ହାସଲ କରି ୱେଷ୍ଟଇଣ୍ଡିଜକୁ ବିଜୟ ପଥରେ ଆଗେଇ ନେଇଥିଲେ । ଡଟିନ ୫ ଓଭର ବୋଲିଂ କରି କେବଳ ୨ ରନରେ ୨ ୱିକେଟ ହାସଲ କରି ନ୍ୟୁଜିଲାଣ୍ଡର ବିଜୟ ଆଶା ଚୂରମାର କରି ଦେଇଥିଲେ । ଫଳରେ ନ୍ୟୁଜିଲାଣ୍ଡ ୪୯.୫ ଓଭରରେ ୨୫୬ ରନ କରି ଅଲଆଉଟ ହୋଇ ଯାଇଥିଲା ।

Get real time updates directly on you device, subscribe now.