fbpx

ଏକ ହୋଇ ଲଢ଼ିଲା ସମଗ୍ର ଓଡ଼ିଆ ଜାତି: ବଞ୍ଚିଗଲା ଅନେକ ଯାତ୍ରୀଙ୍କ ଜୀବନ, ଓଡ଼ିଶାକୁ ପ୍ରଶଂସା କରୁଛି ବିଶ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ମାସ ୨ ତାରିଖ କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ୱ ପାଇଁ ଏକ କଳା ଦିବସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଦିନ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗା ଠାରେ ଦେଖିବାକୁ ମିଳିଥିଲା ପ୍ରକୃତିର ଏକ ଭୟଙ୍କର ତାଣ୍ଡବ । ତିନୋଟି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇ ଚୁରମାର ହୋଇଯାଇଥିଲା । ଆଉ ଏହି ଦୁର୍ଘଟଣାରେ ଶହ ଶହ ଜୀବନ ଚାଲିଯିବା ସହ ଶହ ଶହ ଯାତ୍ରୀ ଆହତ ହୋଇଥିଲେ । ମୃତ୍ୟୁ ସଂଖ୍ୟା ୧, ୨, ୩….. ବଢ଼ି ବଢ଼ି ଶେଷରେ ୩୦୦ ଟପି ଯାଇଥିଲା । ଆଉ ଆହତଙ୍କ ସଂଖ୍ୟା ମଧ୍ୟ ୧୦୦୦ ଅତିକ୍ରମ କରିଯାଇଥିଲା ।

ବିଧିର ବିଧାନକୁ କେହି ଅଟକାଇ ପାରିବେ ନାହିଁ । ମୃତକଙ୍କ ଜୀବନ ତ ଆଉ ବଞ୍ଚାଇବ ସମ୍ଭବ ନୁହେଁ । ମାତ୍ର ଶହ ଶହ ଯାତ୍ରୀଙ୍କ ଉଦ୍ଧାର ପାଇଁ ଓଡ଼ିଶାବାସୀ ଯେଉଁ ସଂଘର୍ଷ କରିଥିଲେ ତାହା ବୃଥା ଯାଇ ନଥିଲା । ଯଦି ଠିକ୍ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କାର୍ଯ୍ୟ କରିନଥାନ୍ତେ, ଯଦି ସୂଚନା ପାଇବା ପରେ ଏସଡିଆରଏଫ ଓ ଓଡ୍ରାଫ ଟିମ୍ ପହଞ୍ଚି ନଥାନ୍ତେ ତେବେ ବୋଧହୁଏ ମୃତ୍ୟୁସଂଖ୍ୟା ଆହୁରି ବଢ଼ିଯାଇଥାନ୍ତା । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାତିରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଗସ୍ତ କରିବା ସହିତ ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏଥିସହିତ ସକାଳ ହେଉ ହେଉ ମୁଖ୍ୟମନ୍ତ୍ରୀ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଖବର ପାଇବା ପରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ବିଭିନ୍ନ ରାଜ୍ୟର ପ୍ରତିନିଧି, ବିଭିନ୍ନ ଅଞ୍ଚଳର ଜନସାଧାରଣ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ବହୁ ରାଜନେତା, ସେଲିବ୍ରେଟି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ରୁଷିଆ, ଆମେରିକା, ବ୍ରିଟେନ ପରି ବହୁ ରାଷ୍ଟ୍ର ମଧ୍ୟ ଗଭୀର ସମବେଦନା ଜଣାଇଥିଲେ । ପାକିସ୍ତାନ ପରି ଶତ୍ରୁ ରାଷ୍ଟ୍ର ମଧ୍ୟ ଏହି ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଥିଲା ।

ମୃତକ ଓ ଆହତଙ୍କ ପାଇଁ ବାଲେଶ୍ୱର ହସ୍ପିଟାଲରେ ବେଡର ଅଭାବ ପଡ଼ିଥିଲା । ତେଣୁ ସଙ୍ଗେସଙ୍ଗେ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଆହତଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବିଳମ୍ବିତ ରାତିରେ ରାଜ୍ୟର ବିଭିନ୍ନ ହସ୍ପିଟାଲମାନଙ୍କରେ ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ଲୋକଙ୍କର ଯେଉଁ ଭିଡ଼ ଜମିଥିଲା, ତାହା ଓଡ଼ିଶାକୁ ବିଶ୍ୱରେ ଏକ ନୂଆ ପରିଚୟ ଦେଇଥିଲା । ବିଭିନ୍ନ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀମାନେ ରକ୍ତଦାନ ପାଇଁ ଯେପରି ଆଗଭର ହୋଇଥିଲେ ତାହା କ୍ୱିଚିତ ଦେଖିବାକୁ ମିଳେ । ରାଜ୍ୟବାସୀଙ୍କ ଏହି ଅଦମ୍ୟ ଉଦ୍ୟମକୁ ଆଜି ବିଭିନ୍ନ ରାଷ୍ଟ୍ର ପ୍ରଶଂସା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁର୍ଘଟଣା ସ୍ଥଳ ଗସ୍ତ କରିବା ସମୟରେ ସ୍ଥାନୀୟ ଲୋକଙ୍କୁ ଖୁବ୍ ପ୍ରଶଂସା କରିଥିଲେ ।

ଏହି ଦୁର୍ଘଟଣାର ମୃତକ ଓ ଆହତଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ପରି ଅନ୍ୟ ରାଜ୍ୟର ହୋଇଥିଲେ ହେଁ ବାଲେଶ୍ୱରର ସ୍ଥାନୀୟ ଯୁବକମାନେ ସେମାନଙ୍କର ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ହେଳା କରିନଥିଲେ । ବାଲେଶ୍ୱରର ଗଣେଶ ନାମକ ଜଣେ ଯୁବକ ସ୍ଥାନୀୟ ଯୁବକଙ୍କ ସହାୟତାରେ ପାଖାପାଖି ୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ଦୁର୍ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଯୁବକମାନେ ଯେଉଁ ମହତ କାର୍ଯ୍ୟ କଲେ ତାହା ବାସ୍ତବିକ ସମସ୍ତଙ୍କର ହୃଦୟ କିଣି ନେଇଛି ।

କୋଲକତାର ଏନଡିଆରଏଫର ୨ୟ ବାଟାଲିୟରେ କାର୍ଯ୍ୟରତ ୩୯ ବର୍ଷୀୟ ଭେଙ୍କଟେଶ ପ୍ରଥମେ ନିଜର ବରିଷ୍ଠ ନିରୀକ୍ଷକଙ୍କୁ ଫୋନ କରି ଦୁର୍ଘଟଣା ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହାପରେ ସେ ହ୍ୱାଟସଆପରେ ଦୁର୍ଘଟଣାସ୍ଥଳର ଲାଇଭ୍ ଲୋକେସନ ଏନଡିଆରଏଫ ନିୟନ୍ତ୍ରଣ କକ୍ଷକୁ ପଠାଇବା ସହ ନିଜର ଛୁଟି ବାତିଲ କରି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ଭେଙ୍କଟେଙ୍କ ପାଇଁ ବହୁ ଯାତ୍ରୀଙ୍କ ଜୀବନ ବଞ୍ଚି ପାରିଥିଲା । ଏଭଳି ବିପଦ ସମୟରେ ଓଡ଼ିଶା ସରକାରଙ୍କୁ କେନ୍ଦ୍ର, ରେଳ ମନ୍ତ୍ରଣାଳୟ, ବିଭିନ୍ନ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଥିଲେ । ସମସ୍ତଙ୍କର ମିଳିତ ପ୍ରୟାସ ପାଇଁ ଅନେକ ନିରୀହ ଜୀବନ ବଞ୍ଚି ପାରିଥିଲା । ଏଥିସହିତ ମୃତାହତଙ୍କ ପାଇଁ କେନ୍ଦ୍ର ସରକାର, ରେଳ ମନ୍ତ୍ରଣାଳୟ ଓ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ରାଶି ଘୋଷଣା କରାଯାଇଛି ।

ଏହା ମଧ୍ୟରେ ୨୦୦ରୁ ଅଧିକ ମରଶରୀରକୁ ଭୁବନେଶ୍ୱରକୁ ଅଣାଯାଇ ସଂରକ୍ଷିତ କରି ରଖାଯାଇଛି । ସେମାନଙ୍କର ଫଟୋ ଓ ତଥ୍ୟ ୱେବସାଇଟରେ ଅପଲୋଡ୍ କରାଯାଇଛି । ମୃତକଙ୍କ ଚିହ୍ନଟ ପାଇଁ ସମ୍ପର୍କୀୟଙ୍କ ପାଇଁ ରାଜ୍ୟ ସରକାର ହେଲପ ଲାଇନ୍ ନମ୍ବର ଜାରି କରିଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ବଞ୍ଚାଇବା ପାଇଁ ସାରା ଓଡ଼ିଶା ଏକ ହୋଇଥିଲା । ଓଡ଼ିଶା ମାଟିରେ କାହାକୁ ମରିବାକୁ ଦିଆଯିବ ନାହିଁ ଏହା ହିଁ ସମଗ୍ର ଓଡ଼ିଆ ଜାତି ସେଦିନ ରାତିରେ ଶପଥ ନେଇଥିଲା । ରାତି ଅନିଦ୍ରା ରହି ରାଜ୍ୟର ସମସ୍ତ ପ୍ରଶାସନିକ ଅଧିକାରୀ, ମେଡିକାଲ, ରେସକ୍ୟୁ ଟିମ୍ ଯେଉଁ ସଂଘର୍ଷ କରିଥିଲେ ତାହା ଚିରକାଳ ମନେ ରହିବ ।

ଆଜିର ସୋସିଆଲ ମିଡ଼ିଆ ଯୁଗରେ ସମସ୍ତ ଘଟଣା କ୍ଷଣିକ ମଧ୍ୟରେ ସାରା ବିଶ୍ୱରେ ପହଞ୍ଚି ଯାଉଛି । ତେଣୁ ବାଲେଶ୍ୱର ବାସୀଙ୍କ ଏହି ସଂଘର୍ଷର ଛବି ଦେଖି ବିଶ୍ୱର କୋଣ ଅନୁକୋଣର ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି । ଅତୀତରେ ‘ଫନି’, ‘ଫାଇଲିନ’ ଭଳି ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କଠିନ ସଂଘର୍ଷ କରି ଓଡ଼ିଶା ବିଶ୍ୱ ସ୍ତରରେ ପୁରସ୍କୃତ ହୋଇଥିଲା । ବାଲେଶ୍ୱର ଦୁର୍ଘଟଣାରେ ଯାତ୍ରୀଙ୍କ ଜୀବନ ବଞ୍ଚାଇବାର ସଂଘର୍ଷକୁ ନେଇ ପୁଣି ଥରେ ଓଡ଼ିଶାର ଛବି ବିଶ୍ୱ ମାନଚିତ୍ରରେ ଅଧିକ ଉଜ୍ଜ୍ୱଳମୟ ହୋଇ ଯାଇଛି । ଆମେ ସମସ୍ତେ ଏକ ହୋଇ ଲଢ଼ିଲେ ପ୍ରକୃତି ବି ହାର ମାନିବ ଏହା ହିଁ ଓଡ଼ିଶା ସାରା ବିଶ୍ୱକୁ ଶିକ୍ଷା ଦେଇଛି ।

Get real time updates directly on you device, subscribe now.