fbpx

ଚୀନ ଉପରେ ଆଜୀବନ ଶାସନ କରିବେ ଜିନପିଙ୍ଗ ? କମ୍ୟୁନିଷ୍ଟ କଂଗ୍ରେସର ବୈଠକ ଉପରେ ଦୁନିଆର ନଜର

ନୂଆଦିଲ୍ଲୀ: କଣ ଚୀନରେ ଆଜୀବନ ଶାସନ କରିବେ ସି ଜିନପିଙ୍ଗ ? ଚୀନର କମ୍ୟୁନିଷ୍ଟ ପାର୍ଟି ରାଷ୍ଟ୍ରପତି ସ ଜିନପିଙ୍ଗଙ୍କ ପାଇଁ ରେକର୍ଡ ତୃତୀୟ ଥର କାର‌୍ୟ୍ୟକାଳ ବୃଦ୍ଧି ଉପରେ ମୋହର ଲଗାଇବା ଉଦ୍ଦେଶ୍ୟରେ ବୈଠକର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ବୈଠକ ପାଞ୍ଚ ବର୍ଷରେ ଥରେ ଆୟୋଜିତ ହୁଏ ଏବଂ ସପ୍ତାହେ ଧରି ଚାଲେ। ଗତ ତିନି ଦଶନ୍ଧିରୁ ଚୀନରେ ଏହି ପରମ୍ପରା ଚାଲି ଆସିଛି। ସାଧାରଣତଃ ଡ୍ରାଗନ ଦେଶରେ ୧୦ ବର୍ଷର କାର୍ଯ୍ୟକାଳ ପରେ ରାଷ୍ଟ୍ରପତି ନିଜ ପଦରୁ ହଟି ଯାଆନ୍ତି। ହେଲେ ଏଥର ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି। ବୈଠକରେ ଜିନପିଙ୍ଗଙ୍କ ରାଷ୍ଟ୍ରପତି ଭାବେ କାର‌୍ୟ୍ୟକାଳକୁ ତୃତୀୟ ଥର ବଢାଇବା ନେଇ ସହମତି ପ୍ରକାଶ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

୬୯ ବର୍ଷୀୟ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ବାଦ୍ ଦେଲେ ଚଳିତ ସପ୍ତାହରେ ଚୀନ ସରକାରରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ନମ୍ବର ୨ ନେତା କୁହାଯାଉଥିବା ଲି କେକିୟାଙ୍ଗ ସହିତ ସମସ୍ତ ଶୀର୍ଷସ୍ତରୀୟ ଅଧିକାରୀଙ୍କୁ ହଟାଯାଇପାରେ। ଚୀନର କମ୍ୟୁନିଷ୍ଟ ପାର୍ଟି(ସିପିସି)ର ୨୦ତମ ରାଷ୍ଟ୍ରୀୟ କଂଗ୍ରେସରେ ୨୨୯୬ ନିର୍ବାଚିତ ପ୍ରତିନିଧି ରୁଦ୍ଧ ଦ୍ଵାର ବୈଠକରେ ଯୋଗ ଦେବେ। ଅକ୍ଟୋବର ୧୬ରୁ ଆରମ୍ଭ ହୋଇଥିବା ଏହି ବୈଠକ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଚାଲିବ।

ବୈଠକ ପୂର୍ବରୁ ବେଜିଂରେ ପ୍ରଦର୍ଶନ:
ବୈଠକ ପୂର୍ବରୁ ବେଜିଂରେ ବିରଳ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଶୂନ୍ୟ କୋଭିଡ୍ ନୀତି ଅନୁସାରେ ସହରରେ ବାରମ୍ବାର ଲକଡାଉନ ଲଗାଯିବା ସରକାରଙ୍କ ନିଷ୍ପତ୍ତିକୁ ଲୋକେ ଖୁବ୍ ବିରୋଧ କରିଛନ୍ତି। ଲକଡାଉନ ଲଗାଇବା ଏବଂ କରୋନା ନିୟନ୍ତ୍ରଣର କଠୋର ଉପାୟ କାରଣରୁ ଅର୍ଥବ୍ୟବସ୍ଥା ମାନ୍ଦା ହେବାରେ ଲାଗିଛି ଏବଂ ବେରୋଜଗାରୀ ବଢିବାରେ ଲାଗିଛି। ତଥାପି କମ୍ୟୁନିଷ୍ଟ ପାର୍ଟି ଶୂନ୍ୟ କୋଭିଡ୍ ନୀତି ସପକ୍ଷରେ ଯୁକ୍ତି ବାଢି ଏହାକୁ ପ୍ରତ୍ୟାହାର କରିବାକୁ ମନା କରି ଦେଇଛି।

ଖବର ଏହା ମଧ୍ୟ ରହିଛି ଯେ, କମ୍ୟୁନିଷ୍ଟ ପାର୍ଟିର ଆଗାମୀ ନ୍ୟାସନାଲ କଂଗ୍ରେସରେ ରାଷ୍ଟ୍ରପତି ସି ଜିନପିଙ୍ଗ ଚେୟାରମ୍ୟାନର ମାନ୍ୟତା ହାସଲ କରି ପାରନ୍ତି। ଖାସ୍ କଥା ଏହି ମାନ୍ୟତା କେବଳ ମାଓଙ୍କୁ ମିଳିଥିଲା। ଯଦି ଜିନପିଙ୍ଗ ଚେୟାରମ୍ୟାନ ହୋଇ ଯାଆନ୍ତି ତେବେ ସେ ଆଜୀବନ କେବଳ ଚୀନ ଉପରେ ଶାସନ କରିବେ ନାହିଁ ବରଂ ତାଙ୍କର ଶକ୍ତି ବହୁଗୁଣା ବଢିଯିବ। ଏମିତି ଶକ୍ତି ବୃଦ୍ଧି ଯୋଗୁଁ ମାଓ ଯୁଗରେ ଯେମିତି ରାଜନୈତିକ ହିଂସା ଘଟିଥିଲା, ତାର ପୁନରାବୃତ୍ତି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

Get real time updates directly on you device, subscribe now.