fbpx

Big Breaking ଯଶସ୍ୱୀଙ୍କ ବିସ୍ଫୋରକ ବ୍ୟାଟିଂ: ଚତୁର୍ଥ ଟି-୨୦ ସହ ସିରିଜ ଜିତିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ବିଜୟ ହାସଲ କରି ସିରିଜ ହାତେଇଛି ଟିମ ଇଣ୍ଡିଆ । ଷ୍ଟାର ଓପନିଂ ଯୋଡ଼ି ଯଶସ୍ୱୀ ଜଏସ୍ୱାଲ ଏବଂ ଅଧିନାୟକ ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂରେ ଭାରତ ଏହି ମ୍ୟାଚ ଉପରେ ବିଜୟ ହାସଲ କରିଛି । ଏହି ମ୍ୟାଚରେ ୧୦ ୱିକେଟରେ ବିଜୟ ସହ ଭାରତ ଟି-୨୦ ସିରିଜ ମଧ୍ୟ ନିଜ ନାମରେ କରିଛି । ତେବେ ଜିମ୍ବାୱେର ୧୫୩ ରନ୍ ଲକ୍ଷ୍ୟକୁ ମାତ୍ର ୧୫.୨ ଓଭରରେ ସଫଳତାର ସହ ହାସଲ କରିନେଇଛି ଶୁଭମନ ସେନା । ଏହା ସହ ଟି-୨୦ ସିରିଜ ଉପରେ ମଧ୍ୟ ଦଳ ନିଜ ଅଧିକାର ସାବ୍ୟସ୍ତ କରିଛି ।

ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଲଗାତାର ୩ଟି ଟି-୨୦ ମ୍ୟାଚରେ ବିଜୟୀ ହୋଇ ଜିମ୍ବାୱେ ବିପକ୍ଷ ସିରିଜ ହାସଲ କରିଛି ଟିମ ଇଣ୍ଡିଆ । ଆଜି ଚତୁର୍ଥ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଭାରତକୁ ୧୫୩ ରନର ଲକ୍ଷ୍ୟ ଦେଇଥିଲା । ତେବେ ଟିମ ଇଣ୍ଡିଆର ଷ୍ଟାର ଓପନିଙ୍ଗ ଯୋଡ଼ି ଯଶସ୍ୱୀ ଜଏସ୍ୱାଲ ଏବଂ ଶୁଭମନ ଗିଲ୍ ଏହାକୁ ଅତି ସହଜରେ ହାସଲ କରିବାରେ ସଫଳ ହୋଇଛନ୍ତି । ଯଶସ୍ୱୀ ଜଏସ୍ୱାଲ ମାତ୍ର ୫୩ ବଲରୁ ୧୩ଟି ଚୌକା ଏବଂ ୨ଟି ଛକା ସହ ଯଶସ୍ୱୀ ୯୩ ରନର ଏକ ଧମାକାଦାର ଇନିଂସ ଖେଳିଛନ୍ତି । ଏହାବ୍ୟତୀତ ଅଧିନାୟକ ଶୁଭମନ ଗିଲ ମଧ୍ୟ ୩୯ ବଲରୁ ୬ଟି ଚୌକା ଏବଂ ୨ଟି ଛକା ସହ ୫୮ ରନର ଦମଦାର ପାଳି ଖେଳିଛନ୍ତି । ଉଭୟଙ୍କ ଏହି ବିଧ୍ୱଂସକ ପାଳିରେ ଭାରତ ଏହି ମ୍ୟାଚକୁ ୧୦ ୱିକେଟରେ ବିଜୟ ହାସଲ କରିଛି । ଜିମ୍ବାୱେର କୌଣସି ବୋଲର ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇ ପାରିନାହିଁ ।

ଅନ୍ୟ ପକ୍ଷରେ ଚତୁର୍ଥ ମ୍ୟାଚରେ ବିଜୟ ସହ ଟି-୨୦ ସିରିଜ ମଧ୍ୟ ହାତେଇଛି ଟିମ ଇଣ୍ଡିଆ । ଅଧିନାୟକ ଭାବରେ ପ୍ରଥମ ଟି-୨୦ ସିରିଜ ନିଜ ନାମରେ କରିଛନ୍ତି ଷ୍ଟାର ଓପନର ଶୁଭମନ ଗିଲ୍ । ସିରିଜର ପ୍ରଥମ ମ୍ୟାଚରେ ପରାଜୟ ପରେ ଶୁଭମନଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ଦ୍ୱିତୀୟ ମ୍ୟାଚରେ ଦମଦାର କମବ୍ୟାକ କରି ଲଗାତାର ୩ଟି ବିଜୟ ସହ ସିରିଜ ହାତେଇଛି ୟଙ୍ଗ ଇଣ୍ଡିଆ । ଦ୍ୱିତୀୟ ମ୍ୟାଚକୁ ୨୩ ରନରେ ଜିତିଥିବା ଟିମ ଇଣ୍ଡିଆ ଶୁଭମନଙ୍କ ନେତୃତ୍ୱରେ ତୃତୀୟ ମ୍ୟାଚକୁ ୧୦୦ ରନରେ ବିଜୟ ହାସଲ କରିଛି । ଶେଷରେ ଚତୁର୍ଥ ମ୍ୟାଚରେ ୧୦ ୱିକେଟରେ ବିଜୟ ପରେ ଗିଲଙ୍କ ନେତୃତ୍ୱରେ ପ୍ରଥମ ସିରିଜ ବିଜୟଲାଭ କରିଛି ଟିମ ଇଣ୍ଡିଆ ।

 

Get real time updates directly on you device, subscribe now.