fbpx

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା: ୯ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା– ପଶ୍ଚିମବଙ୍ଗ ଉପକୂଳରେ ବାୟୁମଣ୍ଡଳର ୫ ଦଶମିକ ୮ କି.ମି. ଉଚ୍ଚତା ଯାଏଁ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଆଜି ସାରା ରାଜ୍ୟରେ ବର୍ଷା ଜାରି ରହିଛି । କଟକ, ଭୁବନେଶ୍ୱର ଓ ଉପକୂଳ ଓଡ଼ିଶାରେ ଅଧିକ ପରିମାଣର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩ରୁ ୪ ଦିନ ଧରି ରାଜ୍ୟରେ ଏଭଳି ବର୍ଷା ସ୍ଥିତି ଲାଗି ରହିବ । ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପର ରୂପ ନେଇ ରାଜ୍ୟରେ ଅଧିକ ବର୍ଷା କରାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‍.ଆର୍‍.ବିଶ୍ୱାସ କହିଛନ୍ତି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ସକାଳ ସାଢ଼େ ୮ଟାରୁ ପୂର୍ବାହ୍ନ ସାଢ଼େ ୧୧ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୧୧୮ ଦଶମିକ ୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୬୮ ଦଶମିକ ୨, ଭୁବନେଶ୍ୱରରେ ୩୫ ଦଶମିକ ୨, ବାଲେଶ୍ୱରରେ ୧୩ ଦଶମିକ ୫, ସମ୍ବଲପୁରରେ ୧୦ ଦଶମିକ ୬ ମିଲିମିଟର ବର୍ଷା ହୋଇଯାଇଛି । ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ ଏବଂ ଭୁବନେଶ୍ୱର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଆସନ୍ତା ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ସତର୍କ କରିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକୁ ଉଦ୍‍ବୃତ୍ତ ବର୍ଷା ଜଳ ନିଷ୍କାସନ ଏବଂ ବନ୍ୟାସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟ ମଧ୍ୟରେ ମୁଖ୍ୟାଳୟ ଛାଡ଼ି ନ ଯିବାକୁ ଏସ୍‍ଆର୍‍ସି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.