fbpx

ଆସୁଛି ଆଉ ୨ଟି ଲଘୁଚାପ: ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ୨ ଦିନ ଧରି ବର୍ଷା ଲାଗି ରହିଛି । ଏହି ବର୍ଷା ଆହୁରି ୨ରୁ ୩ ଦିନ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ୯ ଓ ୧୩ ତାରିଖରେ ପୁଣି ୨ଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୨ ଜିଲ୍ଲାଗୁଡ଼ିକ ହେଉଛି- ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ।

ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ୯ ତାରିଖରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ଥିବାବେଳେ ସମୁଦ୍ରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ବର୍ଷାର ପରିମାଣ ଅଧିକ ରହିବ । ଏହି ଲଘୁଚାପ ପ୍ରଭାବରେ ୮ରୁ ୧୦ ତାରିଖ ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷ କରି ୧୦ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ । ସେହିପରି ୧୩ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ହେବ । ୧୪ରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଗକୁ ଲଘୁଚାପ ଥିବାରୁ ୧୫ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ।

ଦକ୍ଷିଣ ଓଡ଼ିଶାରେ ୧୮୦ ମି.ମି., ଉତ୍ତର ଓଡ଼ିଶାରେ ୮୦ ମି.ମି. ଓ ରାଜଧାନୀ ଭୁବନେଶ୍ୱର ସମେତ ବାକି ଜିଲ୍ଲାଗୁଡ଼ିକରେ ୧୩୦ ମି.ମି. ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଚାଷୀମାନଙ୍କ ପାଇଁ ସର୍ତକ ସୂଚନା ମଧ୍ୟ ଜାରି କରାଯାଇଛି । ଅଧିକ ବର୍ଷା ସମ୍ଭାବନା ଥିବାରୁ ଜମିରୁ ପାଣି ନିଷ୍କାସନ କରିବାକୁ ପରାମର୍ଶ ଦିଆଯାଇଛି । ଆରବ ସାଗର ଓ ବଙ୍ଗୋପ ସାଗରରୁ ମୌସୁମୀ ବାୟୁ ପ୍ରବାହିତ ହେଉଥିବାରୁ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ମଧ୍ୟ ସମ୍ଭାବନା ଅଛି ।

ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.