fbpx

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି; ପ୍ରବଳ ବର୍ଷା ହେବା ନେଇ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚମ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ପାଶ୍ୱର୍ବତ୍ତୀ ଉତ୍ତର ଓଡ଼ିଶା ଅଂଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି  । ଅସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୦ଟି ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  ।

ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୌସୁମୀ ପ୍ରବାହ ସ୍ୱାଭାବିକ ଥିବାବେଳେ ୧୪ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୧୦ ମିମି ତୁଳନାରେ ୪୬% ଅଧିକ ରହିଛି  । ଦେବଗଡ଼ ଜିଲ୍ଲାର ବାରକୋଟଠାରେ ସର୍ବାଧିକ ୧୨୭ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଠାରେ ୧୦୪ ମିମି ବର୍ଷା  ରେକର୍ଡ ହୋଇଥିବା ବେଳେ ରାୟଗଡାର ଗୁଣପୁର ଠାରେ ୮୭.୪ ମିମି ବର୍ଷା ରେକର୍ଡ ହୋଇଛି ।

ମୌସୁମୀ ନିମ୍ନ ଚାପ ରେଖା ଆଜି  ରାଜସ୍ଥାନର ବିକାନର ରୁ ବାହାରି, କୋଟା, ରାଇସେନ, ମାଣ୍ଡଲା, ଅମ୍ବିକାପୁର, ଦେଇ ଓଡ଼ିଶାର ବାଲେଶ୍ୱର ରୁ  ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି ।  ଚଳିତ ମୌସୁମୀ ଋତୁରେ ୧ ଜୁନ ରୁ ଆଜି ୬ ଜୁଲାଇ ମଧ୍ୟରେ ରାଜ୍ୟରେ ୧୯୧.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୬୫.୮ ମିମି ତୁଳନାରେ  ୨୮ ପ୍ରତିଶତ କମ ରହିଛି ।

Get real time updates directly on you device, subscribe now.