ନୂଆଦିଲ୍ଲୀ: ପାଖେଇ ଆସୁଛି ଉତ୍ତର ପ୍ରଦେଶ ଉପ ନିର୍ବାଚନ । ଏହା ପୂର୍ବରୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଦିଲ୍ଲୀ ପହଂଚିବା ପରେ ପ୍ରଥମେ ସେ ୟୁପି ସଦନ ଯାଇଥିଲେ । ଏହା ପରେ ସେ ୭ ଲୋକକଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ସୂତ୍ର ଅନୁଯାୟୀ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଥିଲେ । ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ରାଜନୈତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଥିବା କଳ୍ପନା ଜଳ୍ପନା କରାଯାଉଛି ।
ସୂତ୍ରରୁ ପ୍ରକାଶ ପ୍ରଧାନମନ୍ତ୍ରୀଙ୍କ ସହ ଦୀର୍ଘ ସମୟ ଧରି ଚାଲିଥିବା ବୈଠକ ପରେ ଯୋଗୀ ତାଙ୍କୁ ମହାକୁମ୍ଭ ୨୦୨୫ ପାଇଁ ପ୍ରୟାଗରାଜ ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ଏହା ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିଥିଲେ । ଯୋଗୀ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଯୋଗୀଙ୍କ ଦିଲ୍ଲୀ ଗସ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଉତ୍ତର ପ୍ରଦେଶରେ ୯ଟି ଆସନ ଯଥା ମୀରାପୁର(ମୁଜଫରନଗର), କୁନ୍ଦରକି(ମୁରାଦାବାଦ), ଗାଜିଆବାଦ, ଖୈର(ଅଲିଗଡ଼), କରହଲ(ମେନପୁରୀ), ସୀସାମଉ(କାନପୁର), ଫୁଲପୁର(ପ୍ରୟାଗରାଜ), କଟେହରୀ(ଆମ୍ବେଦକର ନଗର) ଏବଂ ମଝୱାଁ(ମିର୍ଜାପୁର)ରେ ଉପ ନିର୍ବାଚନ ହେବ । ଏଥିମଧ୍ୟରୁ ୫ଟି ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ୪ଟି ସମାଜବାଦୀ ପାର୍ଟିର କବଜା ରହିଛି । ସମାଜବାଦୀ ପାର୍ଟି ଏହାର ସମ୍ପୂର୍ଣ୍ଣ ଶକ୍ତି ସହ ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ବେଳେ ବିଜେପିକୁ ମଧ୍ୟ ରଣନୀତି ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାଇବା ନେଇ ଲକ୍ଷ ରଖିଛି ।