ଭୁବନେଶ୍ୱର : ସମସ୍ତ କାଳିଆ ହିତାଧୀକାରୀଙ୍କ ପିଲାମାନଙ୍କ ପାଇଁ ଆସିଛି ଖୁସିଖବର । ଏଣିକି ସହଜ ହେବ ‘କାଳିଆ ସ୍କଲାରସିପ୍’ ପାଇଁ ଆବେଦନ ପ୍ରକ୍ରିୟା। ଛାତ୍ରଛାତ୍ରୀ ଏଣିକି ନାମଲେଖା ପାଇଁ ଆବେଦନ ସମୟରେ ବୃତ୍ତି ବାବଦରେ ସମସ୍ତ ତଥ୍ୟ ପାଇ ପାରିବେ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୃତ୍ତି ବାବଦରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ବ୍ୟବସ୍ଥାର ସରଳୀକରଣ ପାଇଁ ବିଧିବଧ ନିଷ୍ପତ୍ତି ହୋଇଛି। ସେହିପରି ଏଣିକି ବର୍ଷକୁ ୨ ଥର କାଳିଆ ବୃତ୍ତି ଲାଗି ଆବେଦନ ଆହ୍ୱାନ କରାଯିବ। ଜୁଲାଇରୁ ଅଗଷ୍ଟ ପ୍ରଥମ ଦଫା ଏବଂ ନଭେମ୍ୱରରୁ ଡିସେମ୍ୱର ଦ୍ୱିତୀୟ ଦଫାରେ ଛାତ୍ରଛାତ୍ରୀ ଆବେଦନ କରିବେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଘରୋଇ ଏବଂ ସରକାରୀ କଲେଜରେ ପିଜି ସମକକ୍ଷ ସମସ୍ତ କୋର୍ସ କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ କାଳିଆ ସ୍କଲାରସିପ ପ୍ରଦାନ କରାଯିବ। ମେଡିକାଲ ଠାରୁ ଆରମ୍ଭ କରି ବୈଷୟିକ ଶିକ୍ଷା, ଆଇଆଇଟି, ଆଇଆଇଏମ, ଏନଆଇଟି, ପିଜି ମେଡିକାଲ ସାଇନ୍ସ, ପିଜି ଏଗ୍ରିକଲଚର ସାଇନ୍ସ, ଏମ-ଟେକ, ଏମଏସସି କୋର୍ସ କରୁଥିବା ପିଲାମାନେ ମଧ୍ୟ ସ୍କଲାରସିପର ଲାଭ ନେଇପାରିବେ। କାଳିଆ ଯୋଜନା ଅଧୀନରେ ଥବା ହିତାଧିକାରୀଙ୍କ ପିଲାମାନଙ୍କୁ ରାଜ୍ୟ ସରକାର ୨୦୨୧-୨୨ବର୍ଷରୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରିଆସୁଛନ୍ତି।
ଯୋଜନା ଅଧୀନରେ ହିତାଧଳକାରୀଙ୍କ ପିଲାମାନଙ୍କୁ ପାଠପଢ଼ିବା ଲାଗି କୋର୍ସ ଫି ଠାରୁ ଆରମ୍ଭ କରି ହଷ୍ଟେଲ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରୁଛନ୍ତି। ଏହି ସ୍କଲାରସିପ ଯୋଜନା ଛାତ୍ରଛାତ୍ରୀଙ୍କ ନିକଟରେ କିପରି ସହଜରେ ପହଁଞ୍ଚିପାରିବ ତାର ସରଳୀକରଣ ବ୍ୟବସ୍ଥା ଲାଗି ସରକାର ଯୋଜନା କରିଛନ୍ତି। ତେବେ ବୃତ୍ତିଗୁଡ଼ିକ ବିଷୟରେ ଅନେକ ଛାତ୍ରଛାତ୍ରୀ ଜାଣିପାରୁନାହାଁନ୍ତି। ତେଣୁ ସାମ୍ସ ପୋର୍ଟାଲ ସହିତ ଏଣିକି ‘ଷ୍ଟେଟ୍ ସ୍କଲାରସିପ ପୋର୍ଟାଲ’କୁ ଜୋଡାଯିବ। ଯାହାଦ୍ୱାରା ନାମଲେଖା ସମୟରେ ପିଲାମାନେ ପୋର୍ଟାଲ ଦେଖି ବୃତ୍ତି ଆବେଦନ କରିପାରିବେ।
ଚାଷୀ ପରିବାରର ଦୀର୍ଘସ୍ଥାୟୀ ବିକାଶକୁ ଆଖି ଆଗରେ ରଖି ରାଜ୍ୟ ସରକାର ସେମାନଙ୍କ ପିଲାଙ୍କ ପାଇଁ କାଳିଆ ସ୍କଲାରସିପ୍ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଯୋଗ୍ୟତା ଆଧାରରେ ସ୍ଥାନ ପାଇଥିବା ଚାଷୀ ପରିବାରର ପିଲାମାନଙ୍କ ସମସ୍ତ ଶିକ୍ଷାଗତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ୱେବ୍ ପୋର୍ଟାଲ୍ kalia.co.in/scholarship ଜରିଆରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସ୍କଲାରସିପ୍ ଯୋଜନାରେ ସାମିଲ୍ ହୋଇପାରିବେ । ଅଧିକ ଜାଣିବା ପାଇଁ କାଳିଆ ହେଲ୍ପଲାଇନ୍ ୧୮୦୦୫୭୨୧୧୨୨ ନମ୍ବରରେ କଲ କରିପାରିବେ ।