ଓଡିଶା ଭାସ୍କର: ଆପଣଙ୍କ ଘରେ ମୂଷା ଅଛନ୍ତି କି? ଯଦି ଆପଣଙ୍କ ଘରେ ମୂଷା ଅଛନ୍ତି ଏବଂ ଆପଣ ସେମାନଙ୍କୁ ମାରିବାକୁ ଚାହୁଁ ନାହାନ୍ତି । କିନ୍ତୁ ସେମାନେ ଆପଣଙ୍କର ବହୁ କ୍ଷତି କରୁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ । ଯାହା ଦ୍ୱାରା ଆପଣ ମୂଷାମାନଙ୍କୁ ନ ମାରି ଘରୁ ବାହାର କରିପାରିବେ । ମୂଷା ଘରେ ରହିବା ଦ୍ୱାରା ଆପଣଙ୍କ ଜିନିଷ ପତ୍ର ନଷ୍ଟ କରିବା ସହିତ ଅନେକ ପ୍ରକାର ରୋଗର କାରଣ ମଧ୍ୟ ହୋଇଥାଏ । ତେବେ ଏମାନଙ୍କୁ ମାରିବା ଏବଂ ପଞ୍ଜୁରୀରେ ବନ୍ଦ କରିବା ଛଡା ଅନ୍ୟ କିଛି ଉପାୟ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ମୂଷାମାନଙ୍କୁ ନ ମାରି କ୍ଷତି ନ କରି ଘରୁ କିପରି ବାହାର କରିବେ ।
୧. ମୂଷା ମାନଙ୍କୁ ଘରୁ ବାହାର କରିବା ପାଇଁ ଆପଣ ପିପାରମେଣ୍ଟ ସ୍ପ୍ରେ କରିପାରିବେ । ଏହାର ବାସ୍ନା ମୂଷାମାନଙ୍କୁ ପସନ୍ଦ ଆସି ନଥାଏ । ଯେଉଁସ୍ଥାନରେ ଆପଣ ମୂଷାମାନଙ୍କୁ ଦେଖିବେ ସେଠାରେ ଏହାର ସ୍ପ୍ରେ କରିବା ଦ୍ୱାରା ମୂଷା ସେ ସ୍ଥାନକୁ ଯିବେ ନାହିଁ ।
୨. ତମ୍ବାଖୁ ବ୍ୟବହାର କରିବା ଦ୍ୱାରା ମୂଷାମାନେ ଘର ଛାଡି ପଳାଇବେ । ତମ୍ବାଖୁ ଏକ ନିଶା ଜାତୀୟ ପଦାର୍ଥ, ଏହାକୁ ବେସନରେ ଗୋଳାଇ ରଖିବା ଦ୍ୱାରା ମୂଷା ସେହିସ୍ଥାନକୁ ଦ୍ୱିତୀୟ ଥର ଯିବେ ନାହିଁ ।
୩. ଫିଟିକିରି ପାଣିକୁ ଆପଣ ଘରେ ସ୍ପ୍ରେ କରିବା ଦ୍ୱାରା ମୂଷା ଘରେ ପ୍ରବେଶ କରିବେ ନାହିଁ । ଏବଂ ଯଦି ଘରେ ମୂଷା ଅଛନ୍ତି ତେବେ ସେମାନେ ଘର ଛାଡି ପଳାଇବେ ।
୪. ଏହାଛଡା ଆପଣ ଘରେ ଯେଉଁ ସ୍ଥାନରେ ମୂଷା ଦେଖୁଛନ୍ତି ସେଠାରେ ଲାଲ ଲଙ୍କା ଗୁଣ୍ଡ ପକାଇଲେ ମୂଷା ସେହିସ୍ଥାନରୁ ଦୂରେଇ ରହିଥାନ୍ତି ।
୫. କର୍ପୂର ଦ୍ୱାରା ମଧ୍ୟ ଆପଣ ମୂଷାଙ୍କୁ ଘରୁ ବାହାର କରିପାରିବେ । କାରଣ ଏହାର ବାସ୍ନା ମଧ୍ୟ ସେମାନଙ୍କୁ ପସନ୍ଦ ନ ଥାଏ । ମୂଷା ଘରର ଯେଉଁ ସ୍ଥାନରେ ରହୁଛି ସେଠାରେ କର୍ପୂର ଗୁଣ୍ଡ କରି ରଖନ୍ତୁ ଫଳରେ ମୂଷା ଘର ଛାଡି ପଳାଇବ ।