fbpx

ବୃଦ୍ଧ ପିତାମାତା, ସ୍ତ୍ରୀ, ପିଲାଙ୍କୁ ଅଣଦେଖା କଲେ ଚାଲିଯିବ ଆପଣଙ୍କର ଚାକିରି! ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ପ୍ରକାରର ଲୋକ ବସବାସ କରନ୍ତି । ତେବେ ଅନେକ ବ୍ୟକ୍ତି ବୃଦ୍ଧ ପିତାମାତାଙ୍କର ଉପଯୁକ୍ତ ଯତ୍ନ ନିଅନ୍ତି ନାହିଁ । ଏପରି ଦାୟିତ୍ୱହୀନ ବ୍ୟକ୍ତିଙ୍କ ପାଇଁ ଆସିଛି ଏକ ସତର୍କ ସୂଚନା । ପରିବାର ସଦସ୍ୟଙ୍କୁ ଅଣଦେଖା କଲେ ଆପଣଙ୍କର ଚାକିରି ଚାଲିଯାଇପାରେ । ଏନେଇ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ଅନୁକମ୍ପା ଭାବେ ଚାକିରି ପାଇଥିବା କୌଣସି ବ୍ୟକ୍ତି ନିଜ ପରିବାର ଓ ଆଶ୍ରିତଙ୍କୁ ଅଣଦେଖା କଲେ ପରିସ୍ଥିତି ଭୟଙ୍କର ହେବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି ।

ଅନୁକମ୍ପା ଆଧାରରେ ଚାକିରି ପାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ସତର୍କ ଘଣ୍ଟି । ସୂଚନା ମୁତାବକ, ଜଣେ ବ୍ୟକ୍ତି ରେଲୱେରେ ଚାକିରି କରିଥିଲେ । ତେବେ ଚାକିରି ସମୟରେ ତାଙ୍କର ମୃତ୍ୟୁ ଘଟିବା ପରେ ପରିବାର ଜଣେ ସଦସ୍ୟଙ୍କୁ ଅନୁକମ୍ପାମୂଳକ ଚାକିରି ପ୍ରଦାନ କରାଯାଇଥିଲା । ମାତ୍ର ଉକ୍ତ ବ୍ୟକ୍ତି ଜଣଙ୍କ ପରିବାର ସଦସ୍ୟଙ୍କର ଦେଖାଶୁଣା କରୁନଥିବା ନେଇ ହାଇକୋର୍ଟରେ ୟାଚିକା ଦାୟର ହୋଇଥିଲା । ଉକ୍ତ ପରିବାରରେ ଜଣେ ବୃଦ୍ଧ ରହିଥିଲେ ହେଁ ଚାକିରି ପାଇଥିବା ବ୍ୟକ୍ତି ଜଣଙ୍କ ପରିବାର ସଦସ୍ୟଙ୍କ ଦେଖାଶୁଣା କରିବାକୁ ମନା କରିଦେଇଥିଲେ ।

ଏନେଇ ବିଚାରପତି କହିଥିଲେ, ପରିବାରରେ ପତି, ପତ୍ନୀ, ସନ୍ତାନଙ୍କର ଦେଖାଶୁଣା କରିବାକୁ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଅନୁକମ୍ପା ଭାବେ ଚାକିରି ଦିଆଯାଇଥାଏ । ଏହାଦ୍ୱାରା ସେ ନିଜର ଓ ଅନ୍ୟ ସଦସ୍ୟଙ୍କର ଦାୟିତ୍ୱ ନେଇପାରିବେ । ଯଦି ପରିବାର ଉପରେ ଅଚାନକ କୌଣସି ବିପଦ ଆସେ ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ତାହାକୁ ସମ୍ଭାଳି ବୋଲି ଆଶା କରାଯାଏ । ଯଦି ସେ କୌଣସି ସଦସ୍ୟଙ୍କର ହିତସାଧନ କରୁନାହାନ୍ତି, ତେବେ ତାଙ୍କର ଚାକିରି ଫେରାଇ ନେଇ ହେବ । ଏନେଇ ତିନି ମାସ ମଧ୍ୟରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଲୱେକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.