fbpx

ବୃଦ୍ଧଙ୍କୁ ନୁହେଁ ଯୁବକଙ୍କୁ ଦିଆଯିବ ପ୍ରଥମେ କରୋନା ଟିକା, ଜାଣନ୍ତୁ କେଉଁ ଦେଶରେ ଓ କାହିଁକି

ଜାକର୍ତ୍ତା, ୧୬ା୧୨: ଭାରତବର୍ଷରେ କରୋନା ଟିକା ପ୍ରଥମେ ବୃଦ୍ଧଙ୍କୁ ଦିଆଯିବ ବୋଲି ଘୋଷଣା କରାଯାଇଛି । ମାତ୍ର ଏସିଆ ମହାଦେଶର ଏକ ଦେଶରେ ଏହାର ବ୍ୟତିକ୍ରମ ଦେଖାଦେଇଛି ।

ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ଏସିଆର ପ୍ରଥମ ଦେଶ ଭାବେ ଇଣ୍ଡୋନେସିଆ ୧୮ରୁ ୫୯ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଟିକା ପାଇଁ ପ୍ରଥମେ ଧ୍ୟାନ ଦେବ ବୋଲି ଘୋଷଣା କରିଛି । ମହାମାରୀରେ ନିଜର ସେବା ଜାରି ରଖିଥିବା ପୋଲିସ, ସ୍ୱାସ୍ଥ୍ୟକର୍ମୀ, ଯବାନ ଆଦି ଶ୍ରେଣୀର ଲୋକେ ଏଥିରେ ସାମିଲ ହେବେ । ଅନ୍ୟପକ୍ଷରେ ପୂର୍ବ ସପ୍ତାହରେ ବ୍ରିଟେନ ଜଣେ ୯୧ ବର୍ଷୀୟ ମହିଳାଙ୍କୁ ଟିକା ଦେଇ ଟିକାକରଣର ଆରମ୍ଭ କରିସାରିଛି ।

ଆମେରିକା ମଧ୍ୟ ଏଇ ସପ୍ତାହରେ ବୃଦ୍ଧଙ୍କୁ ଟିକାକରଣରେ ପ୍ରାଧାନ୍ୟ ଦେଇଛି । କେଉଁମାନଙ୍କୁ ପ୍ରଥମେ ଟିକା ଦିଆଯିବ, ସେନେଇ ବିଭିନ୍ନ ଦେଶର ସରକାର ଚିନ୍ତିତ ରହିଥିବା ବେଳେ ଇଣ୍ଡୋନୋସିଆ ସମସ୍ତଙ୍କ ଠାରୁ ଅଲଗା ରହିଥିବା ଜଣାଯାଇଛି ।

ଏକ ରିପୋର୍ଟରୁ ଏହା ମଧ୍ୟ ଜଣାଯାଇଛି ଯେ, ୧୮ ରୁ ୫୯ ବର୍ଷ ବୟସର ଲୋକମାନେ ଦେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବାରେ ସର୍ବଦା ସକ୍ରିୟ ରହିଥାନ୍ତି । ଏହାଛଡ଼ା ଚାକିରି ପାଇଁ ଘରଠାରୁ ଅଧିକ ଦୂରରେ ରହୁଥିବା ଓ ଅଧିକ ସଂକ୍ରମିତ ଅଞ୍ଚଳର ଲୋକମାନଙ୍କୁ ଟିକାକରଣରେ ଇଣ୍ଡୋନେସିଆ ସରକାର ପ୍ରାଧାନ୍ୟ ଦେବେ ବୋଲି ଜଣାଯାଇଛି ।

Get real time updates directly on you device, subscribe now.