ଗାନ୍ଧୀନଗର: ମକର ସଂକ୍ରାନ୍ତି ଏକ କୃଷି ଭିତ୍ତିକ ପର୍ବ । ଦେଶର ଅନେକ ସ୍ଥାନରେ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ତେବେ ଏହା ପୂର୍ବରୁ ମଧ୍ୟ ଅନେକ ବ୍ୟକ୍ତି ବିଶେଷ କରି ଗୁଡ଼ି ଉଡ଼ାଇବା ପାଇଁ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ମକର ପର୍ବ ପୂର୍ବରୁ ଗୁଜରାଟ ସୁରଟ ଜିଲ୍ଲାରେ କିନ୍ତୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗୁଡ଼ି ଉଡ଼ାଇବା ପାଇଁ ମାଞ୍ଜା ସୂତା ଦେବାରୁ ମନା କରିଦେବାରୁ ଜଣେ ୧୦ ବର୍ଷୀୟ ବାଳକ ଆତ୍ମହତ୍ୟା କରିଥିବା ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂତ୍ରରୁ ପ୍ରକାଶ ଶୁକ୍ରବାର ସୁରଟ ଜିଲ୍ଲାର କାନ୍ତାରା ଗାଁରେ ରାଥୋଡ଼ ପରିବାର ଦିନ ମୁଜୁରିଆ ଭାବେ କାର୍ଯ୍ୟ କରନ୍ତି । ଦୁଇ ପୁଅ ଏବଂ ଗୋଟିଏ ଝିଅକୁ ନେଇ ତାଙ୍କ ପରିବାର । ଗୁରୁବାର ରାଥୋଡ଼ ପରିବାରର ବଡ଼ ପୁଅ କେତନ ବଜାରରୁ ଗୁଡ଼ି ନେଇ ଆସିଥିଲା । ଘରକୁ ଆସି ସେ ସାନ ଭାଇ କେଶୁ ଠାରୁ ମାଞ୍ଜା ସୂତା ମାଗିଥିଲା । କିନ୍ତୁ ସାନ ଭାଇ ଦେବାରୁ ମନା କରିଦେବାରୁ ବଡ଼ ଭାଇକୁ ବହୁତ ଆଘାତ ଲାଗିଥିଲା । ସେ କ୍ରୋଧିତ ହୋଇ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା । ସାନ ଭଉଣୀ ବାହାରୁ ଘରୁକୁ ପହଂଚିବା ପରେ ବଡ଼ ଭାଇର ଏପରି ଅବସ୍ଥା ଦେଖି ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ସେଠାରେ ଜମା ହୋଇଥିଲେ । ଖବର ପାଇ ଜହାଙ୍ଗିରପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣା ସମୟରେ ତାଙ୍କ ପିତା ବାହାରକୁ କାମ ପାଇଁ ଯାଇଥିଲେ । ପୋଷ୍ଟମର୍ଟମ କଲା ପରେ ଜଣାପଡ଼ିଲା କି ବେକରେ ଫାଶୀ ଦେବା ଯୋଗୁ କେତନଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କୁ କେହି ହତ୍ୟା କରିବାକୁ ଉଦ୍ୟମ କରିନଥିଲେ । ଅପରପକ୍ଷରେ ପରିବାର ପକ୍ଷରୁ କୁହାଯାଇଛି କି ପିଲା ୫ ବର୍ଷର ଥିବା ବେଳେ ତା’ ମାଆକୁ ଫାଶୀ ଲଗାଇ ଅତ୍ମହତ୍ୟା କରିଥିବାର ଦେଖିଥିଲା । ମାଞ୍ଜା ସୂତା ଭଳି ଗୋଟିଏ ଛୋଟ କଥା ପାଇଁ ପରିବାରର ବଡ଼ ପୁଅ ଜୀବନ ହାରିବା ଭଳି ଘଟଣା ପରିବାରକୁ ବଡ଼ ଝଟକା ଦେଇଛି ।