fbpx

ଆନ୍ଧ୍ରପ୍ରଦେଶର PCC ମୁଖ୍ୟ ଭାବେ ନିଯୁକ୍ତି ପାଇଲେ ୱାଇ.ଏସ ଶର୍ମିଲା: ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ସବୁ ପୂର୍ବାନୁମାନ ସତ ହୋଇଛି । ଶେଷରେ ଆନ୍ଧ୍ରପ୍ରଦେଶକୁ ନେଇ କଂଗ୍ରେସ ହାଇକମାଣ୍ଡ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ମୁଖ୍ୟ ଭାବେ ୱାଇ.ଏସ ଶର୍ମିଲା ରେଡ୍ଡୀଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ୧୫ ତାରିଖରେ ପିସିସି ମୁଖ୍ୟ ପଦରୁ ଗିଦୁଗୁ ରୁଦ୍ର ରାଜୁ ଇସ୍ତଫା ଦେବା ପରେ ଉକ୍ତ ପଦରେ ଶର୍ମିଲାଙ୍କ ନିଯୁକ୍ତି ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ଶର୍ମିଲାଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ହେବ । ଏଥିସହିତ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ତେଲେଙ୍ଗାନାରେ ସରକାର ଗଠନ କରିବା ପରେ କଂଗ୍ରେସର ପରବର୍ତ୍ତୀ ନଜର ଏବେ ଆନ୍ଧ୍ର ଉପରେ ରିହଛି । ତେଣୁ ଭବିଷ୍ୟତର ରାଜନୈତିକ ଫାଇଦାକୁ ଦୃଷ୍ଟିରେ ରଖି କଂଗ୍ରେସ ଶର୍ମିଲାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଥିବା କୁହାଯାଉଛି । ଗତ ୪ ତାରିଖରେ ଶର୍ମିଲା ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ ।

ନିକଟରେ ସମାପ୍ତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିପୁଳ ସଫଳତା ମିଳିଥିଲା । ତେଣୁ ଶର୍ମିଲାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇ ଆନ୍ଧ୍ର ଦଖଲ ଲକ୍ଷ୍ୟରେ ରହିଛି କଂଗ୍ରେସ । ଗତବର୍ଷ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ସରକାର ଗଠନ କରିବା ପରେ ଦେଶର ସର୍ବପୂରାତନ ରାଜନୈତିକ ଦଳର ମହୋବଳ ବୃଦ୍ଧି ପାଇଛି । ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଦଳ ଆଗାମୀ ନିର୍ବାଚନରେ ସଫଳତା ହାସଲ କରିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛି । ଶର୍ମିଲାଙ୍କୁ ବଡ଼ ଦାୟିତ୍ୱ ଦେବା ପରେ ଦଳ କେତେ ସଫଳତା ପାଉଛି ତାହାକୁ ଦେଖିବାକୁ ବାକି ରହିଲା । ଆଗକୁ ଶର୍ମିଲା ତାଙ୍କ ଭାଇ ତଥା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ରାଜନୀତିର ମୈଦାନରେ କଡ଼ା ଟକ୍କର ଦେବେ ।

Get real time updates directly on you device, subscribe now.