fbpx

ପୁଣିଥରେ ଟିମ ଇଣ୍ଡିଆକୁ ଫେରିବେ ଯୁବରାଜ ସିଂ… ନିଜର Future PLan କହିଲେ ବିଶ୍ୱକପ ବିଜେତା

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ଦଳକୁ ଫେରିବାକୁ ଚାହୁଁଛନ୍ତି ସିକ୍ସର କିଙ୍ଗ ଯୁବରାଜ ସିଂହ । କ୍ରିକେଟରୁ ବିଦାୟ ନେବା ପରେ ପୁଣିଥରେ ଟିମ ଇଣ୍ଡିଆ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି ଭାରତର ବିଶ୍ୱକପ ବିଜତୋ । ଆଇସିସି ଟୁର୍ଣ୍ଣାମେଣ୍ଟରେ ଦଳକୁ ଜିତାଇବା ପାଇଁ ସେ ନିଜ କାନ୍ଧରେ ଦାୟିତ୍ୱ ନେବା ପାଇଁ ଆଗଭର ହୋଇଛନ୍ତି । ବାରମ୍ବାର ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ପରାଜୟକୁ ଗ୍ରହଣ କରି ନ ପାରି ଟିମ ଇଣ୍ଡିଆକୁ କମବ୍ୟାକ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଯୁବରାଜ ସିଂହ ।

ଏକ କାର୍ଯ୍ୟକ୍ରମରେ ଏ ନେଇ ଯୁବରାଜ କହିଛନ୍ତି ଯେ, ଆମେ ୨୦୧୩ ପରେ ଅନେକ ଫାଇନାଲ ମ୍ୟାଚ ଖେଳିଛୁ, କିନ୍ତୁ କୌଣସି ଟ୍ରଫି ହାତେଇବାରେ ସଫଳ ହୋଇନାହୁଁ । ତେଣୁ ଏହା ଉପରେ ଆମକୁ ନିଶ୍ଚୟ କାମ କରିବାକୁ ପଡ଼ିବ । ଦଳରେ କିଛି ଜିନିଷର ଅଭାବ ରହିଛି ବୋଲି ଅନୁଭବ କରିଛନ୍ତି ଯୁବରାଜ । ବଡ଼ ମ୍ୟାଚ ଗୁଡ଼ିକରେ ଆମ ଖେଳାଳିମାନେ ଶାରୀରିକ ଭାବରେ ପ୍ରସ୍ତୁତ ଥିଲେ ମଧ୍ୟ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରୁନାହାନ୍ତି । ଯାହା ଫଳରେ ଭାରତ ବାରମ୍ବାର ଆଇସିସି ଟ୍ରଫିର ଖୁବ ନିକଟତର ହୋଇ ମଧ୍ୟ ନିରାଶ ହେଉଛି ।

ଯୁବରାଜ କହିଛନ୍ତି ଯେ, “ଯୁବ ଖେଳାଳିଙ୍କୁ ପ୍ରେରଣା ଦେବା ଏବଂ ଚାପଗ୍ରସ୍ତ ସମୟରେ କିପରି ଭଲ ପ୍ରଦର୍ଶନ କରିହେବ, ତାହା ଶିକ୍ଷା ଦେବାକୁ ପଡ଼ିବ । ଏହା ଦଳ ପାଇଁ ସର୍ବଦା ଏକ ଚାଲେଞ୍ଜ ହୋଇ ରହିଛି । ଏଭଳି ମ୍ୟାଚରେ ପ୍ରତ୍ୟେକ ଖେଳାଳିଙ୍କୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଜଣେ କିମ୍ବା ୨ ଜଣ ଖେଳାଳିଙ୍କ ପ୍ରଦର୍ଶନରେ ଦଳ ବିଜୟୀ ହୋଇପାରିବ ନାହିଁ । ତେଣୁ ଦଳରେ ଜଣେ ମେଣ୍ଟର ଭାବରେ ଦାୟିତ୍ୱ ଗ୍ରହଣ କରିବା ପାଇଁ ମୁଁ ପସନ୍ଦ କରିବି ବୋଲି କହିଛନ୍ତି ଯୁବରାଜ ସିଂହ ।”

ଆସନ୍ତା ବର୍ଷ ମୋ ପିଲାମାନେ ବଡ ହୋଇଗଲେ, ମୁଁ ପୁଣିଥରେ କ୍ରିକେଟକୁ ଫେରି ଯୁବ କ୍ରିକେଟରଙ୍କୁ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବାକୁ ଚାହେଁ । ମାନସିକ ସ୍ତରରେ ଭବିଷ୍ୟତରେ ଏହି ଖେଳାଳିମାନଙ୍କ ସହିତ କାମ କରିପାରିବେ ବୋଲି ପ୍ରକାଶ କରିଛନ୍ତି ସିକ୍ସର କିଙ୍ଗ । ବିଶେଷ କରି ଦଳର ମଧ୍ୟକ୍ରମକୁ ଗଢି ତୋଳିବା ପାଇଁ ସେ ପୂର୍ଣ୍ଣ ପ୍ରୟାସ କରିବେ ବୋଲି କହିଛନ୍ତି ଯୁବରାଜ ସିଂହ ।

ଭାରତୀୟ କ୍ରିକେଟ ଦଳରେ ଅଲରାଉଣ୍ଡରଙ୍କ ବିଷୟରେ କହିଲେ କହିଲେ ସିକ୍ସର କିଙ୍ଗ ଯୁବରାଜ ସିଂହଙ୍କ ନାଁ ସବୁଠୁ ଆଗରେ ଆସେ । ଅନେକ ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ କରି ସେ ଭାରତକୁ ବିଜୟୀ କରାଇଛନ୍ତି । କିନ୍ତୁ ଯୁବରାଜଙ୍କ ଅବସର ପରେ ଭାରତ ତାଙ୍କ ଭଳି ଜଣେ ଅଲରାଉଣ୍ଡର ପାଇବାରେ ସଫଳ ହୋଇନାହିଁ । ଯାହା ଅନେକ ଆଇସିସି ନକ୍-ଆଉଟ୍ ମ୍ୟାଚରେ ଭାରତକୁ ପରାସ୍ତ କରିଛି । ଯାହାକୁ ଯୁବରାଜ ସହଜରେ ଗ୍ରହଣ କରି ପାରିନାହାନ୍ତି । ତେଣୁ ପୁଣିଥରେ ଟିମ ଇଣ୍ଡିଆକୁ ଫେରିବା ପାଇଁ ସେ ଇଚ୍ଛା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.