fbpx

ଅନ୍ତର୍ଜାତୀୟ ବଜାରରୁ ଓହରିଲା Zomato; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ନିଜର ସମସ୍ତ ଅନ୍ତର୍ଜାତୀୟ ବ୍ୟବସାୟ ବନ୍ଦ କରିଛି ଜୋମାଟୋ । ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, ୟୁକେ, ସିଙ୍ଗାପୁରରେ ବ୍ୟବସାୟ ବନ୍ଦ ହୋଇଥିଲା ଏବଂ ବର୍ତ୍ତମାନ ଲେବାନନରେ ନିଜର ବ୍ୟବସାୟ ବନ୍ଦ କରିଛି ଜୋମାଟୋ । ତେବେ ୟୁଏଇରେ କମ୍ପାନୀ ନିଜର ବ୍ୟବସାୟ ଜାରି ରଖିବ । ୟୁଏଇରେ ଫୁଡ ଡେଲିଭରୀ ବନ୍ଦ ରହିଥିବା ବେଳେ କେବଳ ହୋଟେଲ ବ୍ୟବସାୟ ଜାରି ରଖିବ ବୋଲି ଜଣାପଡିଛି । ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ଏହି ଖବରକୁ ସ୍ୱୀକାର କରିଛନ୍ତି । ଏକମାତ୍ର ଅନ୍ତର୍ଜାତୀୟ ବ୍ୟବସାୟ ଭାବରେ ଲେବାନନରେ ବିଜିନେସ ଜାରି ରହିଥିବା ବେଳେ ବର୍ତ୍ତମାନ ଏହାକୁ ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ଦୀପିନ୍ଦର । କେବଳ ୟୁଏଇକୁ ଛାଡି ଅନ୍ୟ ସମସ୍ତ ବ୍ୟବସାୟକୁ ଗତବର୍ଷଠୁ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲା ଜୋମାଟୋ ।

ଜୋମାଟୋ ପକ୍ଷରୁ ଏହାର ବ୍ୟବସାୟକୁ ୩ ଭାଗରେ ବିଭକ୍ତ କରାଯାଇଛି । ଭାରତ, ୟୁଏଇ ଏବଂ ବାକି ବିଶ୍ୱ ପରି ତିନୋଟି ବର୍ଗ ସୃଷ୍ଟି କରାଯାଇଛି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଫିଲିପାଇନ୍ସ, ଇଣ୍ଡୋନେସିଆ, ମାଲେସିଆ, ୟୁଏସଏ, ଲେବାନନ, ତୁର୍କୀ, ଚେକ ରିପବ୍ଲିକ, ସ୍ଲୋଭାକିଆ, ପୋଲାଣ୍ଡ, କାତାର ଏବଂ ଆୟାର୍ଲାଣ୍ଡକୁ ବଳକା ବିଶ୍ୱ ମଧ୍ୟରେ ରଖାଯାଇଛି । ନଭେମ୍ବର ୧୦ ତାରିଖରେ ଜୋମାଟୋ ପକ୍ଷରୁ ଏହାର ତ୍ରୈମାସିକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ୨୦୨୦ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଭାରତରେ ୩୮୯.୭ କୋଟି, ୟୁଏଇରେ ୨୫ କୋଟି ଏବଂ ବଳକା ବିଶ୍ୱରେ ୧୧ କୋଟିର ବ୍ୟବସାୟ ହୋଇଥିଲା । ଅନ୍ୟପକ୍ଷରେ ୨୦୨୧ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଭାରତରେ ୯୮୧ କୋଟି, ୟୁଏଇରେ ୩୩ କୋଟି ଏବଂ ବଳକା ବିଶ୍ୱରେ ୯.୭ କୋଟିର ବ୍ୟବସାୟ ହୋଇଛି । ଲେବାନନରେ ରହିଥିବା ଜୋମାଟୋ ଫୁଡସ ପ୍ରାଇଭେଟ ଲିମିଟେଡ ଏବଂ ଜୋମାଟୋ ଆୟାର୍ଲାଣ୍ଡ ଲିମିଟେଡକୁ କମ୍ପାନୀ ପକ୍ଷରୁ ବନ୍ଦ କରି ଦିଆଯାଇଛି । ଏହା ସହିତ ସିଙ୍ଗାପୁର ସ୍ଥିତ ଜେଡଏମପିଏଲ, ୟୁକେ ସ୍ଥିତ ଜେଡୟୁଏଲ୍ ଏବଂ ଆମେରିକା ସ୍ଥିତ କମ୍ପାନୀକୁ ବନ୍ଦ କରି ଦିଆଯାଇଛି । ୟୁଏଇ ବ୍ୟତିତ ଅନ୍ୟ ସମସ୍ତ ଭୌଗଳିକ ଅଞ୍ଚଳରେ ଜୋମାଟୋ କ୍ଷତିରେ ଚାଲିଛି । ଭାରତରେ କ୍ଷତିର ପରିମାଣ ୪୪୩ କୋଟି ରହିଥିବା ବେଳେ ୟୁଏଇରେ ଏହା ୧୫.୮ କୋଟିର ଫାଇଦା ହାସଲ କରିଛି ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ ଏହା ୭.୭ କୋଟିର କ୍ଷତି ସହିଛି । ସମାନ ଭାବରେ ଜୁଲାଇରୁ ସେପ୍ଟେମ୍ବର ୨୦୨୦ରେ ଭାରତରେ ୧୦୩ କୋଟି, ୟୁଏଇରେ ୯୬.୨ କୋଟି ଏବଂ ସମଗ୍ର ଭାରତରେ ୩୦.୬ କୋଟି ଟଙ୍କା ରହିଛି । ଏହା ସହିତ ଆସନ୍ତା ୨ ବର୍ଷ ମଧ୍ୟରେ କମ୍ପାନୀ ବିଲିୟନ ଡଲାର ନିବେଶ କରିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.