fbpx

ଶ୍ରୀମନ୍ଦିରର ଦ୍ୱାର ପାଇଁ ପହଞ୍ଚିଲା ୧.୨ଟନ ରୁପା, ୧୫ କାରିଗରରେ ଚାଲିଛି କାମ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଦ୍ୱାରର ଉପରେ ରୁପାର ଛାଉଣୀ ହେବ । ଏନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ପ୍ରାୟ ୧.୨ ଟନର ରୁପା ଆସିଥିବା ସୂଚନା ଦେଇଛନ୍ତି ଉନ୍ନୟନ ପ୍ରଶାସକ । ସୂଚନା ମୁତାବକ, ପ୍ରାଥମିକ ଭାବରେ ୩ଟି ଦ୍ୱାରର କାର୍ଯ୍ୟ ନୀଳାଦ୍ରୀ ଭକ୍ତ ନିବାସରେ ଆରମ୍ଭ କରାଯାଇଛି । ପ୍ରାୟ ୧୫ ଜଣ କାରିଗର ନିଳାଦ୍ରୀ ଭକ୍ତ ନିବାସରେ କାମରେ ଲାଗିଛନ୍ତି ।

ଶ୍ରୀମନ୍ଦିରର ଆଠଟି ଦ୍ୱାରକୁ ରୁପା ଛାଉଣୀ ପାଇଁ ନିଷ୍ପତ୍ତିି ନିଆଯାଇଥିବା ବେଳେ ପ୍ରାଥମିକ ଭାବେ ଜୟବିଜୟ, ବେହେରଣ ଓ କଳାହାଟ ଦ୍ୱାରର ନିର୍ମାଣ ଚାଲିଛି । ଉତ୍କଳୀୟ କଳା ସଂସ୍କୃତି ପରମ୍ପରାରେ ସ୍ୱତନ୍ତ୍ର ଡିଜାଇନ କରାଯାଇ ଦ୍ୱାର ନିର୍ମାଣ କରାଯାଉଛି ।

ସେହି ଦ୍ୱାର ଉପରେ ରୁପାଛାଉଣୀ କରାଯିବ । ସେଥିପାଇଁ ଆଜି ମୁମ୍ବାଇରୁ ଉତ୍କଳୀୟ କଳା ସଂସ୍କୃତିରେ ନିର୍ମାଣ କରାଯାଇଥିବା ରୁପା ଚାଦର ୧୭ଟି ପେଟିରେ ପ୍ୟାକ ହୋଇ ଆସିଛି । ବର୍ମାଟିକ ଉଡ଼ରେ ସ୍ୱତନ୍ତ୍ର ଭାବେ କଡା ସୁରକ୍ଷା ବଳୟ ମଧ୍ୟରେ ଭକ୍ତ ନିବାସରେ ନିର୍ମାଣ କରାଯାଉଛି । ଏଥିରେ ରୁପା ଖୋଦେଇ ଚାଦର ଲଗାଯିବ ଏବଂ ପୂର୍ଣ୍ଣାଙ୍ଗ କରାଯିବ । ଆଉ ପାଞ୍ଚଟି ଦ୍ୱାର ନିର୍ମାଣ କରାଯାଇ ଲଗାଯିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେହି ଦ୍ୱାର ଗୁଡିକ ହେଲା ମହାଲକ୍ଷ୍ମୀଙ୍କ ଗର୍ଭ ଦ୍ୱାର, ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ରୁପାରେ ଛାଉଣୀ ହେବ ।

Get real time updates directly on you device, subscribe now.