fbpx

ଆକାଉଣ୍ଟ ଖାଲି କରିଦେଇଥାନ୍ତେ ଲୁଟେରା, ବଞ୍ଚାଇ ଦେଲା ମାତ୍ର ୧ ଟଙ୍କା!

ନୂଆଦିଲ୍ଲୀ: ଆଜିର ସମୟରେ ୧ ଟଙ୍କାରେ କିଛି ବି ହେବନାହିଁ । କିନ୍ତୁ ଏହି ୧ ଟଙ୍କାକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ଏକ ଟଙ୍କା ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଠକାମୀରୁ ବଞ୍ଚାଇଦେଇଛି । କଥାଟା ବୁଝିପାରୁନାହଁନ୍ତି କି? ପଢ଼ନ୍ତୁ ପୂରା ଘଟଣା ।

ଘଟଣା ଘଟିଛି ଦିଲ୍ଲୀ ନୋଏଡାର ସୁନୀଲ କୁମାରଙ୍କ ସହ । ତାଙ୍କୁ ଜୁନ୍ ୨ରେ ନିଜ ସଂପର୍କୀୟଙ୍କୁ ୨୨ ହଜାର ଟଙ୍କା ପଠାଇବାର ଥିଲା । କିନ୍ତୁ ଭୁଲରେ ସେ ଅନ୍ୟ ଏକ ଆକାଉଣ୍ଟକୁ ଟଙ୍କା ପଠାଇଦେଇଥିଲେ । ଏନେଇ ସେ ବ୍ୟାଙ୍କଠାରୁ ସାହାଯ୍ୟ ମାଗିଥିଲେ କିନ୍ତୁ ବ୍ୟାଙ୍କରୁ କୌଣସି ସାହାଯ୍ୟ ନମିଳିବାରୁ ସେ ଟ୍ୱିଟରରେ ବ୍ୟାଙ୍କ ଅଧିକାରୀଙ୍କୁ ଟ୍ୟାଗ୍ କରିବା ସହ ଅଭିଯୋଗ କରିଥିଲେ ।

ଏହି ଟ୍ୱିଟ ପରେ ସାଇବର ଠକ ଆକ୍ଟିଭ ହୋଇଯାଇଥିଲେ । ତାଙ୍କ ପାଖକୁ ସାଇବର ଠକଙ୍କ ଫୋନ୍ ଆସିଥିଲା ଏବଂ ତାଙ୍କୁ ସାହଯ୍ୟ କରାଯିବ ବୋଲି କୁହଯାଇଥିଲା । ସୁନୀଲ କୁମାରଙ୍କୁ ଏକ ଆପ୍ ଡାଉନଲୋଡ କରିବାକୁ କୁହାଯାଇଥିଲା । ଏହାପରେ ସାଇବର ଠକ ତାଙ୍କ ଖାତାରୁ ଟଙ୍କା ବାହାର କରିବା ପାଇଁ ଅନେକ ପ୍ରୟାସ କରିଥିଲେ । କିନ୍ତୁ ସୁନୀଲଙ୍କ ଭାଗ୍ୟ ଭଲ ଥିଲା ଯେ ସେ ବଞ୍ଚିଯାଇଥିଲେ ।

ସୁନୀଲ କହିଛନ୍ତି ଯେ ସାଇବର ଠକ ତାଙ୍କ ଖାତାରୁ ୧୦ ହଜାର ଟ୍ରାଞ୍ଜାକ୍ସନ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ଖାତାରେ ୯୯୯୯ ଟଙ୍କା ବାଲାନ୍ସ ରହିଥିଲା । ଫଳରେ ସେ ଠକାମୀରୁ ବଞ୍ଚିଯାଇଛନ୍ତି । ଆଉ ସାଇବର ଠକ ପୁଣିଥରେ ପ୍ରୟାସ କରିବା ପୂର୍ବରୁ ସୁନୀଲ ଆପ୍ ଡିଲିଟ୍ କରିଦେଇଥିଲେ ।

ଦେଶରେ ସାଇବର କ୍ରାଇମ ଏବଂ ଠକାମୀ ମାମଲା ବଢ଼ୁଛି । ପ୍ରତିଦିନ ହଜାର ହଜାର ଲୋକ ଏହାର ଶିକାର ହେଉଛନ୍ତି । ସୁନୀଲ ମଧ୍ୟ ଠକାମୀର ଶିକାର ହେବାକୁ ଯାଉଥିଲେ କିନ୍ତୁ ତାଙ୍କ ଖାତାରେ ୧ ଟଙ୍କା କମ୍ ଥିବା କାରଣରୁ ସେ ବଞ୍ଚିଯାଇଥିଲେ । ସୁନୀଲ କୁମାର ଏହି ପୂରା ମାମଲାର ସୂଚନା ସାଇବର ସେଲକୁ ଦେଇଛନ୍ତି ।

Get real time updates directly on you device, subscribe now.