fbpx

ମଣିଷ ପାଇଁ ୧୦ଟି ବଡ଼ ଶିକ୍ଷା: ବିପଦ ସମୟ ଆପଣଙ୍କ ପାଇଁ ସବୁବେଳେ ଅଭିଶାପ ନୁହେଁ ବରଦାନ ବି ହୋଇଥାଏ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହେଉଛି ଏକ ଅମୂଲ୍ୟ ସମ୍ପଦ । ମଣିଷ ଜୀବନରେ ସୁଖ ଆଉ ଦୁଃଖ ମୁଦ୍ରାର ଦୁଇଟି ଧାର ଭଳି ହୋଇଥାଏ । ସଙ୍କଟ ସମୟ ମନୁଷ୍ୟ ପାଇଁ ଅସଲ ପରୀକ୍ଷା ହୋଇଥାଏ । ଯେଉଁମାନେ ଏହି ସମୟରେ ନିଜର ମନୋବଳ ଓ ଧୈର୍ଯ୍ୟ ହରାଇ ବସନ୍ତି, ସେମାନେ ଜୀବନରେ କେବେ କିଛି କରି ପାରନ୍ତି ନାହିଁ । ତେବେ ବିପଦ ସମୟରେ ପରିସ୍ଥିତିକୁ କିପରି ମୁକାବିଲା କରିବେ, ସେଥିପାଇଁ ଅନେକ ନୀତିକୁ ନିହାତି ମନେରଖିବା ଆବଶ୍ୟକ ।

୧- ସମସ୍ତଙ୍କ ଜୀବନରେ ସଙ୍କଟ ସମୟ ଆସିଥାଏ । ଏହା ହେଉଛି ରାତି ଦିନ ପରି ପରିବର୍ତ୍ତନଶୀଳ । ଏହି ସମୟ ମଣିଷର ଦକ୍ଷତାକୁ ବିକାଶ କରିବାରେ ସହାୟକ ହୋଇଥାଏ । ତେଣୁ ବିପଦ ସମୟରେ ଧୈର୍ଯ୍ୟହରା ନହୋଇ କିଛି ଶିଖିବାକୁ ଚେଷ୍ଟା କରନ୍ତୁ ।

୨- ମୂଲ୍ୟବାନ ଧାତୁ ସୁନା ନିଆଁରେ ଜଳିବା ଦ୍ୱାର ତା’ର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ । ସେହିପରି ମଣିଷ କଷ୍ଟ ସହିଲେ ହିଁ ତା’ର ପ୍ରକୃତ ପ୍ରତିଭାର ବିକାଶ ଘଟିଥାଏ । ବିପଦ ସମୟ ହେଉଛି ପ୍ରତ୍ୟେକ ମନୁଷ୍ୟ ପାଇଁ ଏକ ସାମାନ୍ୟ ପରୀକ୍ଷା ।

୩- ସଙ୍କଟ ସମୟରେ କେବେ ବି ଧୈର୍ଯ୍ୟ ହରାଇବା ଅନୁଚିତ । କାରଣ ଧୈର୍ଯ୍ୟ ହରାଇଲେ ଆପଣ ଯୁଦ୍ଧ କ୍ଷେତ୍ର ଛାଡ଼ି ପଳାୟନ କରିବା ସହିତ ସମାନ । ପରିସ୍ଥିତିକୁ ଠିକ ଭାବେ ବୁଝି ବିଚାରି ନିଷ୍ପତ୍ତି ହେଲେ, ଆପଣ ନିଶ୍ଚିତ ଭାବେ ଜିତି ପାରିବେ ଓ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଯିବେ ।

୪- ବିପଦ ସମୟରେ କିଏ ନିଜର କିଏ ପର ତାର ପ୍ରମାଣ ମିଳିଥାଏ । ସେଥିପାଇଁ କଥାରେ ଅଛି- ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଯେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କ ଜୀବନରେ ସଙ୍କଟ ନ ଆସିଛି, ସେ ଜୀବନର ଅଙ୍କାବଙ୍କା ରାସ୍ତା ମଧ୍ୟରୁ ପ୍ରକୃତ ରାସ୍ତାକୁ ଖୋଜି ପାରନ୍ତି ନାହିଁ ।

୫- ସଙ୍କଟ ସମୟରେ ଆପଣଙ୍କୁ ସାହାଯ୍ୟ କରିଥିବା ଲୋକଙ୍କୁ କେବେ ବି ଭୁଲିବା ଅନୁଚିତ । କୁହାଯାଏ, ପ୍ରକୃତ ବନ୍ଧୁମାନେ ହେଉଛନ୍ତି ଗୋଟିଏ ମୂଲ୍ୟବାନ ଧାତୁ ସଦୃଶ । ଶହ ଶହ ଲୋକଙ୍କ ସଂସ୍ପର୍ଶରେ ଆସିବା ପରେ ହିଁ ଏମାନେ ମିଳିଥାନ୍ତି ।

୬- ଅନେକ ସମୟରେ ସଫଳତାରେ ଶୀର୍ଷରେ ଥାଇ ଅନେକ ବ୍ୟକ୍ତି ପାରିବାରିକ ଅଶାନ୍ତି, ପ୍ରେମବ୍ୟାପାର ଓ ଆର୍ଥିକ ଚାପ କାରଣରୁ ଆତ୍ମହତ୍ୟା ପରି କୁପଥକୁ ଆପଣାଇ ନେଇଥାନ୍ତି । ଆପଣମାନେ ଥରେ ଭାବନ୍ତୁ ଜଣେ ବ୍ୟକ୍ତି ଯଦି ନିଜକୁ ସୁରକ୍ଷା ଦେଇ ପାରୁନି, ସେ ଦୁନିଆକୁ କ’ଣ ବଦଳାଇବ । ଆପଣ ଜୀବନରେ ଯେତେ ଉନ୍ନତି କଲେ ମଧ୍ୟ ନିଜକୁ ପ୍ରଥମେ ସମ୍ଭାଳିବାକୁ ପ୍ରୟାସ କରନ୍ତୁ ।

୭- ମଣିଷ ଜନ୍ମ ହେବା ପରେ କିଛି ବିଦ୍ୟା ପୁସ୍ତକରୁ ଶିକ୍ଷା ଗ୍ରହଣ କରିଥାଏ । ମାତ୍ର ଏପରି କିଛି ଜିନିଷ ତାକୁ କେହି ଶିଖାଇ ନଥାନ୍ତି । ତେଣୁ ଏ ସମାଜକୁ ଏକ ବଡ଼ ୟୁନିଭରସିଟି ବୋଲି ଭାବି ମଣିଷ-ମଣିଷଠାରୁ ପ୍ରତି ମୁହୂର୍ତ୍ତରେ ଶିକ୍ଷା ଲାଭ କରନ୍ତୁ ।

୮- ଆପଣ ଯଦି ନିଜର ମନକୁ ସ୍ୱଚ୍ଛ, ଶକ୍ତିଶାଳୀ କରି ରଖିବେ, ଦେଖିବେ କୌଣସି ବାହ୍ୟ ଲୋକର କୁବାର୍ତ୍ତା, ପ୍ରରୋଚନା ଆଦି ଆପଣଙ୍କୁ କିଛି ବି ପ୍ରଭାବିତ କରିପାରିବ ନାହିଁ ।

୯- ଅନ୍ୟକୁ ଦୋଷ ଦେବା ପୂର୍ବରୁ ପ୍ରଥମେ ନିଜ ମନ ଭିତରକୁ ଯାଇ ଥରେ ଆତ୍ମଚିନ୍ତନ କରନ୍ତୁ । ନିଜେ ସକାରାତ୍ମକ ରହିବା ସହିତ ଦୁନିଆରେ କ’ଣ ଚାଲିଛି ତା’ ଉପରେ ଅପଡେଟ୍ ରୁହନ୍ତୁ । ଶରୀରକୁ ଫିଟ୍ ରଖିବା ଯେତିକି ଜରୁରୀ ମସ୍ତିଷ୍କକୁ ଫିଟ୍ ରଖିବା ସେତିକି ଜରୁରୀ ।

୧୦- ଜୀବନ ଦୁଇ ଦିନର । ଆମ ସମସ୍ତଙ୍କୁ ଦିନେ ନା ଦିନେ ଯିବାକୁ ପଡ଼ିବ । ତେଣୁ ଏଇ ସୀମିତ ସମୟରେ ଅଧିକ ଶିଖିବାକୁ ଚେଷ୍ଟା କରନ୍ତୁ । ଅନ୍ୟମାନଙ୍କୁ କିଛି ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଆପଣ ଏ ଧରିତ୍ରୀ ବକ୍ଷରେ ଜନ୍ମ ନେଇଛନ୍ତି, ଏଠାରେ ବଡ଼ ହୋଇଛନ୍ତି । ତେଣୁ ପ୍ରତି ମୁହୂର୍ତ୍ତରେ ଆପଣ ପ୍ରକୃତିକୁ ସାଥି କରି ଆଗକୁ ଚାଲନ୍ତୁ । ଦେଖିବେ ଜୀବନ ସୁଖମୟ ହୋଇ ଉଠିବ ।

Get real time updates directly on you device, subscribe now.