ଝାନ୍‌ସୀ: ଅଗ୍ନିକାଣ୍ଡରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣା, ମେଡିକାଲ କଲେଜ ଅଧ୍ୟକ୍ଷ ନିଲମ୍ବିତ

ଝାନ୍‌ସୀ: ଝାନ୍‌ସୀ ସରକାରୀ ମେଡିକାଲ କଲେଜର ଏନ୍ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣାରେ ଅଧ୍ୟକ୍ଷ ନରେନ୍ଦ୍ର ସିଂହ ସେଙ୍ଗରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏହାବ୍ୟତୀତ ଆଉ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି। ଏହି ଅଗ୍ନିକାଣ୍ଡରେ ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଉଦ୍ଧାର ହୋଇଥିବା ବାକି ୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ତେବେ କେଉଁ କାରଣରୁ ଏହି ଶିଶୁଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ସରକାରଙ୍କ ଦ୍ୱାରା ଗଠିତ କମିଟିର ରିପୋର୍ଟ ପରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏହି ପଦକ୍ଷେପ ନେଇଛନ୍ତି।

ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ତଦନ୍ତ ରିପୋର୍ଟର ସମୀକ୍ଷା ପରେ ଘଟଣାରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲୋକଙ୍କ ଦୁଃଖ ହେଉଛି ଆମର ଯନ୍ତ୍ରଣା ଏବଂ ସରକାର ସବୁବେଳେ ସେମାନଙ୍କ ସହ ଛିଡ଼ା ହୋଇଛନ୍ତି। ମେଡିକାଲ କଲେଜର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡାକ୍ତର ସଚିନ ମହୁରଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହାବ୍ୟତୀତ ଆଉ ୩ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। କଲେଜର ଇଲେକ୍ଟ୍ରିକାଲ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜିତ କୁମାର, ଏନ୍ଆଇସିୟୁ ୱାର୍ଡର ନର୍ସିଂ ଇନ୍ଚାର୍ଜ ସନ୍ଧ୍ୟା ରାୟ ଓ ମୁଖ୍ୟ ଅଧୀକ୍ଷକ ସୁନୀତା ରାଠୋରଙ୍କୁ ନିଲମ୍ବିତ କରାଯାଇଛି।

ଅଗ୍ନିକାଣ୍ଡର ତଦନ୍ତ ପାଇଁ ସରକାର ମେଡିକାଲ ନିର୍ଦ୍ଦେଶକ ଶିକ୍ଷା କିଂଜଲ ସିଂହଙ୍କ ଅଧ୍ୟକ୍ଷତାରେ ୪ ଜଣିଆ କମିଟି ଗଠନ କରିଥିଲେ। ଏତଦ୍ ବ୍ୟତୀତ ଅଧିକ ତଦନ୍ତ ଦାୟିତ୍ୱ ସରକାର ଝାନ୍ସିର ଡିଭିଜନାଲ କମିଶନରଙ୍କୁ ଦେଇଛନ୍ତି। ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡାକ୍ତର ସଚିନ ମାହୋରେ, କଲେଜର ଶିଶୁ ରୋଗ ବିଭାଗ ମୁଖ୍ୟ ଡାକ୍ତର ଓମ ଶଙ୍କର ଚୌରାସିଆ, ସର୍ଜରୀ ବିଭାଗର ସହ-ପ୍ରଫେସର ଡାକ୍ତର କୁଲଦୀପ ଚାନ୍ଦେଲ ଓ ଭାରପ୍ରାପ୍ତ ଅଧିକାରୀ ବିଦ୍ୟୁତଙ୍କ ଭୂମିକା ଯାଞ୍ଚ ପାଇଁ ଜଣେ ଡିଭିଜନାଲ କମିଶନରଙ୍କୁ ନିଯୁକ୍ତ କରାଯାଇଛି।