ଟଙ୍କାରେ ନିଲାମ ହେଲା ଟଙ୍କା: ଅଧ କୋଟିରେ ବିକ୍ରି ହେଲା ୧୦୦ ଟଙ୍କିଆ ନୋଟ୍
୨ଟା ୧୦ ଟଙ୍କିଆ ନିଲାମ ହେଲା ୧୨ ଲକ୍ଷରେ । କୁଏତରେ ଚଳୁଥିଲା ଭାରତୀୟ ମୁଦ୍ରା ।
ନୂଆଦିଲ୍ଲୀ: ଲଣ୍ଡନରେ ଏକ ବିଚିତ୍ର ନିଲାମୀ ହୋଇଛି । ତା’ ପୁଣି କୌଣସି ପେଣ୍ଟିଂ କିମ୍ବା ଦୁର୍ଲଭ ଜିନିଷର ନୁହେଁ, ବରଂ ଟଙ୍କାର ହୋଇଛି ନିଲାମୀ । ଟଙ୍କାରେ ନିଲାମ ହୋଇଛି ଟଙ୍କା ।
୧୦୦ ଟଙ୍କିଆ ନୋଟ୍ ନିଲାମ ହୋଇଛି ଅଧକୋଟି ଟଙ୍କା ଅର୍ଥାତ୍ ୫୬,୪୯,୬୫୦ ଟଙ୍କାରେ । ଏହି ନୋଟକୁ ୧୯୫୦ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିଲା । ଯାହାର ସିରିଜ ନମ୍ବର ରହିଛି, ଏଚଏ୦୭୮୪୦୦ । ଏହା କୌଣସି ସାଧାରଣ ନୋଟ୍ ନୁହେଁ । ଏହି ନୋଟ୍ ହଜ୍ ନୋଟ୍ ଭାବେ ଜଣାଯାଏ ।
ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଆରବିଆଇ ଏହି ନୋଟ୍ ଛାପିଥିଲା ଖାସ୍ କରି ହଜ୍ ଯାତ୍ରୀଙ୍କ ପାଇଁ । କୁହାଯାଏ ସୁନାର ଅବୈଦ୍ଧ କ୍ରୟ ରୋକିବା ପାଇଁ ମଧ୍ୟ ଏହି ନୋଟ୍ ଛପା ଯାଇଥିଲା ।
ନୋଟର ନମ୍ବର ଆରମ୍ଭରୁ ୟୁନିକ୍ ପ୍ରିଫିକ୍ସ ଏଚଏ ରହିଛି । ଯାହାଦ୍ୱାରା ଏହି ନୋଟକୁ ସହଜରେ ଚିହ୍ନାଯାଇ ପାରିବ ।
ଦୁର୍ଲଭ ନୋଟ୍: ୧୯୬୧ରେ କୁଏତ୍ ନିଜ ମୁଦ୍ରା ପଚଳନ କରିବା ଆରମ୍ଭ କରିଥିଲା । ଏହାପୂର୍ବରୁ କୁଏତରେ ଭାରତୀୟ ମୁଦ୍ରା ବ୍ୟବହାର କରାଯାଉଥିଲା । ୧୯୭୦ରେ ହଜ ନୋଟ୍ ଛପିବା ବନ୍ଦ କରାଯାଇଥିଲା । ବତ୍ତର୍ମାନ ପାଇଁ ଏହି ନୋଟ୍ ଦୁର୍ଲଭ ପାଲଟିଛି । ଲୋକମାନେ ଏହାକୁ ସଂଗ୍ରହ କରି ରଖୁଛନ୍ତି ।
୧୨ ଲକ୍ଷରେ ବିକ୍ରିହେଲା ୧୨ ଲକ୍ଷରେ: ନିକଟରେ ଲଣ୍ଡନର ଆଉ ଏକ ନିଲାମୀ କାର୍ଯ୍ୟକ୍ରମରେ ୧୦ ଟଙ୍କିଆ ନୋଟ୍ ୧୨ ଲକ୍ଷରୁ ଅଧିକ ଟଙ୍କାରେ ନିଲାମ ହୋଇଛି । କାର୍ଯ୍ୟକ୍ରମରେ ୨ଟି ନୋଟ୍ ନିଲାମ ହୋଇଛି । ଗୋଟିଏ ୧୦ ଟଙ୍କିଆ ନୋଟ୍ ୬.୯୦ ଲକ୍ଷ ଏବଂ ଆଉ ଗୋଟେ ୫.୮୦ ଲକ୍ଷରେ ନିଲାମ କରାଯାଇଛି ।