fbpx

ପଥର ସନ୍ଧିରୁୁ ୮ ଘଣ୍ଟାର କଠିନ ଉଦ୍ୟମ ପରେ ଉଦ୍ଧାର ହେଲା ନାବାଳକ, ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଖସିପଡିଥିଲା

Advertisement

ନବରଙ୍ଗପୁର, (ଭାସ୍କର ନ୍ୟୁଜ୍‌): ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ପଥର ସନ୍ଧିରେ ଫସି ଦୀର୍ଘ ୮ ଘଣ୍ଟା ପରେ ଉଦ୍ଧାର ହେଲା ନାବାଳକ । ସକାଳୁ ରାତି ପର୍ଯ୍ୟନ୍ତ ଦୁଇଟି ପଥର ସନ୍ଧିରେ ଜଣେ ୧୨ ବର୍ଷୀୟ ବାଳକର ମୁଣ୍ଡ ଫସି ଯାଇଥିଲା । ତାର ଗୋଡ଼ ୨ଟି ଉପରକୁ ରହିଥିଲା । ଜୀବନ ବିକଳରେ ବାଳକଟି ଆର୍ତ୍ତ ଚିତ୍କାର କରିଥିଲ । ବାଳକର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ଅକ୍ଳାନ୍ତ ଉଦ୍ୟମ କରିବା ପରେ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପଥର ସନ୍ଧିରେ ଫସିଥିବା ବାଳକଜଣ ହେଲେ ନବରଙ୍ଗପୁର ଜିଲ୍ଲା କଣ୍ଟାଗାଁ ପଞ୍ଚାୟତ ଅନ୍ତର୍ଗତ ବରି ଦର ଗାଁର ଡମୁଜାନୀ ।

ସୂଚନା ଅନୁସାରେ, ଡମୁଜାନୀ ଗତକାଲି ସକାଳ ପ୍ରାୟ ୧୦ଟା ବେଳେ ନିକଟସ୍ଥ ପାହାଡ଼କୁ ଛେଳି ଚରାଇବା ପାଇଁ ଯାଇଥିଲେ । ସେହି ସମୟରେ କୌଣସି ଅସାବଧାନତା ଯୋଗୁଁ ତାଙ୍କ ମୁଣ୍ଡ ଦୁଇ ପଥର ସନ୍ଧିରେ ଫସିଯାଇଥିଲା ଓ ଗୋଡ଼ ଦୁଇଟି ଉପରେ ରହିଯାଇଥିଲା । ସେ ସେହି ପଥର ସନ୍ଧିରୁ ବାହାରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ସେ ଚିତ୍କାର କରିଥିଲା । ଏହା ଶୁଣି ଆଖପାଖ ଲୋକେ ସେଠାରେ ପହଞ୍ଚି ବାଳକଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନ ଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ବାଳକଙ୍କ ମୁଣ୍ଡ ବାହାରକୁ ବାହାରି ପାରି ନ ଥିଲା । ଏଥିସହ ଖାଇବା, ପିଇବା ନ ପାଇ ବାଳକଟି ଅବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଲା । ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ଓ ତେନ୍ତୁଳିଖୁଣ୍ଟି ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ ପହଞ୍ଚିଥିଲେ । ବିଡିଓ ତୁରନ୍ତ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗକୁ ଖବର ଦେବାସହ ନିଜେ ଘଟଣାସ୍ଥଳକୁ ଯାଇଥିଲେ । ବର୍ଷା ଯୋଗୁଁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ବର୍ଷା ପାଣି ପଥର ସନ୍ଧିରେ ବଢ଼ିବାରୁ ତୁରନ୍ତ ତେନ୍ତୁଳୀଖୁଣ୍ଟି ବିଡ଼ିଓ ଉପସ୍ଥିତ ବୁଦ୍ଧି ଲଗାଇ ବ୍ଲକ ଷ୍ଟାଫ ଓ ସ୍ଥାନୀୟ ଲୋକଙ୍କୁ ନେଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ସ୍ଥାନୀୟ ଲୋକେ ନିଜସ୍ୱ ଉଦ୍ୟମରେ ପଥରକୁ ତାଡ଼ି ବାହାର କରିବା ପରେ ଦୀର୍ଘ ୮ ଘଣ୍ଟା ରାତି ପ୍ରାୟ ୮ଟାପରେ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ବାଳକକୁ ଉଦ୍ଧାର ପରେ ପରେ ବିଡ଼ିଓ ନିଜ ଗାଡିରେ ପାତ୍ରୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ । ପତ୍ରୁଟ ପ୍ରାଥମିକ ଚିକିତ୍ସା ପରେ ବର୍ତମାନ ଡମୁକୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବିଡ଼ିଓଙ୍କ ଉଦ୍ୟମ ଯୋଗୁ ପିଲାଟି ବଞ୍ଚି ପାରିଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Get real time updates directly on you device, subscribe now.