୧୨୦ ବଲ, ୩୪୯ ରନ୍… T-20 କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କଲା ବରୋଦା, ଇନିଂସରେ ୩୭ ଛକା

ନୂଆଦିଲ୍ଲୀ: ଟି-୨୦ କ୍ରିକେଟରେ ଏକ ଐତିହାସିକ ଇନିଂସ ଦେଖିବାକୁ ମିଳିଛି ସୟଦ ମୁସ୍ତାକ ଅଲୀ ଟ୍ରଫିରେ । ସିକିମ ବିପକ୍ଷ ମ୍ୟାଚରେ ବିଶାଳ ରେକର୍ଡ ହାସଲ କରିଛି ବରୋଦା । କୃଣାଳ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ହାସଲ କରିଛି ଟି-୨୦ କ୍ରିକେଟର ସର୍ବାଧିକ ସ୍କୋର । ଭାନୁ ପାନିଆଙ୍କ ବିସ୍ଫୋରକ ଶତକ ବଳରେ ବରୋଦା କ୍ରଅିକେଟ ଇତିହାସରେ ନୂଆ ଅଧ୍ୟାୟ ଲେଖିଛି । ଏହାସହିତ ଗୋଟିଏ ଇନିଂସରେ ଅନେକ ରେକର୍ଡ ନିଜ ନାମରେ କରିବାରେ ଦଳ ସଫଳ ହୋଇଛି । ସୟଦ ମୁସ୍ତାକ ଅଲୀ ଟ୍ରଫିରେ ୫ଟି ୱିକେଟ ହରାଇ ବରୋଦା ୩୪୯ ରନ୍ ସଂଗ୍ରହ କରିବା ସହ ଇତିହାସ ନିଜ ନାମରେ କରିଛି । ଜିମ୍ବାୱେକୁ ପଛରେ ପକାଇ ବରୋଦା ଏହି ଉପଲବ୍ଧି ହାସଲ କରିଛି ।

ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ ବାଦ୍ ପଡ଼ିଥିବା ବେଳେ ଭାନୁ ପାନିଆ ଏକ ବିସ୍ଫୋରକ ଶତକ ଅର୍ଜନ କରିଛନ୍ତି । ମାତ୍ର ୫୧ଟି ବଲ୍ ଖେଳି ଭାନୁ ୨୬୩ ଷ୍ଟ୍ରାଇକ ରେକଟ୍ ସହ ୧୩୪ ରନ ହାସଲ କରିଛନ୍ତି । ଏହି ଶତକୀୟ ଇନିଂସରେ ଭାନୁ ୫ଟି ଚୌକା ମାରିଥିବା ବେଳେ ୧୫ଟି ବିଶାଳ ଛକା ଦେଖିବାକୁ ମିଳିଥିଲା । ଏହାବ୍ୟତୀତ ଦଳର ଆଉ ୩ଟି କ୍ରିକେଟର ମଧ୍ୟ ଅର୍ଦ୍ଦଶତକ ହାସଲ କରିଛନ୍ତି । ଅଭିମନ୍ୟୁ ସିଂହ ୧୭ ବଲରୁ ୪ଟି ଚୌକା ଏବଂ ୫ଟି ଛକା ସହ ୫୩ ରନ୍ କରିଥିବା ବେଳେ ଶିବଲିକ ଶର୍ମା ୧୭ ବଲରୁ ୩ଟି ଚୌକା ଏବଂ ୬ଟି ଛକା ସହ ୫୫ ରନ୍ କରିଛନ୍ତି ଏବଂ ସୋଲାଙ୍କୀ ୧୬ ବଲରୁ ୨ଟି ଚୌକା ଏବଂ ୬ଟି ଛକା ସହ ୫୦ ରନ୍ କରିଛନ୍ତି । ଏହାବ୍ୟତୀତ ଷ୍ଟାର ଓପନର ଶାଶ୍ୱତ ରାୱତ ୧୬ ବଲରୁ ୪ଟି ଚୌକା ଏବଂ ୪ଟି ଛକା ସହିତ ୪୩ ରନ୍ କରିଛନ୍ତି ।

ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଆଜି ବରୋଦା ଏବଂ ସିକିମ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ବରୋଦା ଗୋଟିଏ ଇନିଂସରେ ଏକାଦିକ ରେକର୍ଡ ନିଜ ନାମରେ କରିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ ଧୂଆଁଦାର ବ୍ୟାଟିଂ ସହିତ ୨୦ ଓଭରରେ ୩୪୯ ରନ୍ ସଂଗ୍ରହ କରିନେଇଛି ବରୋଦା । ଟି-୨୦ କ୍ରିକେଟର ସର୍ବାଧିକ ସ୍କୋର ଭାବରେ ଜିମ୍ବାୱେ(୩୪୪)କୁ ପଛରେ ପକାଇ ଦଳ ନୂଆ ରେକର୍ଡ ସୃଷ୍ଟି କରିଛି । ଅକ୍ଟୋବର ୨୩ ତାରିଖରେ ଜିମ୍ବାୱେ ୨୦ ଓଭରରୁ ୩୪୪ ରନ୍ କରି ଏହି ରେକର୍ଡ ହାସଲ କରିଥିଲା । ତେବେ ଆଜି ବରୋଦା ଜିମ୍ବାୱେକୁ ପଛରେ ପକାଇ ରେକର୍ଡକୁ ନିଜ ନାମରେ କରିଛି ।

ସେହିପରି ଏହି ଇନିଂସରେ ମୋଟ ୩୭ଟି ଛକା ମାରି ମଧ୍ୟ ବରୋଦା ଆଉ ଏକ ରେକର୍ଡର ଅଧିକାରୀ ହୋଇଛି । ବର୍ତ୍ତମାନ ସୁଦ୍ଧା ଟି-୨୦ କ୍ରିକେଟରେ ସର୍ବାଧିକ ଛକା ମାରିବା ତାଲିକାରେ ପ୍ରଥମ ସ୍ଥାନରେ ପହଞ୍ଚିଛି ବରୋଦା । ଏହାପୂର୍ବରୁ ଜିମ୍ବାୱେ ୨୭ ଛକା ସହ ପ୍ରଥମ ସ୍ଥାନରେ ରହିଥିଲା । ଆଜି ସିକିମ ବିପକ୍ଷରେ ୩୭ଟି ଛକା ସହ ବରୋଦା ଏହି ରେକର୍ଡ ନିଜ ନାମରେ କରିଛି । ଏହି ଇନିଂସରେ ବରୋଦା କେବଳ ଛକାରୁ ହିଁ ୨୯୪ ରନ୍ ସଂଗ୍ରହ କରିବାରେ ସମର୍ତ ହୋଇଛି । କିନ୍ତୁ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବା ରେକର୍ଡ ହାସଲ କରିବାରେ ଫେଲ ମାରିଛନ୍ତି ଭାନୁ । ବର୍ତ୍ତମାନ ଏହି ରେକର୍ଡ ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର କ୍ରିସ ଗେଲ୍(୧୮) ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ତେବେ ସିକିମ ଏହି ବିଶାଳ ଟାର୍ଗେଟର ପିଛା କରି ମାତ୍ର ୮୬ ରନ୍ କରିପାରିଛି । ଏହାସହିତ ବରୋଦା ୨୬୩ ରନରେ ଏକ ବିଶାଳ ବିଜୟ ହାସଲ କରିଛି ।