fbpx

ଆସିବ ଆଉ ୧୨୦୦ ଆମ୍ବୁଲାନ୍ସ… ଦୁର୍ଘଟଣା ପରେ ରାସ୍ତାରେ ହେବନି ମୃତ୍ୟୁ: ୧୦ ମିନିଟରେ ମିଳିବ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର: ଦୁର୍ଘଟଣା ଯୋଗୁଁ ରାସ୍ତାରେ ହେଉଥିବା ମୃତ୍ୟୁକୁ ରୋକିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଉଛନ୍ତି । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ପାଖରେ ଉଚିତ ସମୟରେ ଚିକିତ୍ସା ସେବା ପହଞ୍ଚି ପାରୁ ନଥିବାରୁ ଅନେକ ଲୋକଙ୍କର ମୃତ୍ୟୁ ହେଉଛି । ତେଣୁ ସରକାର ଖୁବଶୀଘ୍ର ଏଥିପାଇଁ ସ୍ଥାୟୀ ସମାଧାନର ବ୍ୟବସ୍ଥା କରିବାକୁ ଯାଉଛନ୍ତି । ପ୍ରାଥମିକ ଚିକିତ୍ସା ସହ ମାତ୍ର ୧୦ ମିନିଟରେ ଦୁର୍ଘଟଣାସ୍ଥଳରେ ପହଞ୍ଚିବ ସରକାରୀ ଆମ୍ବୁଲାନ୍ସ । ଏଥିପାଇଁ ରାଜ୍ୟରେ ଆମ୍ବୁଲାନ୍ସ ସଂଖ୍ୟାରେ ବୃଦ୍ଧି କରାଯାଉଛି । ଖୁବଶୀଘ୍ର ରାଜ୍ୟରେ ଆଉ ୧୨୦୦ଟି ଆମମ୍ବୁଲାନ୍ସ ସେବା ଉପଲବ୍ଧ ହେବ ବୋଲି ରାଜ୍ୟ ସରକାର ଯୋଜନା କରିଛନ୍ତି ।

ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୧୨୦୦ଟି ନୂଆ ଆମ୍ବୁଲାନ୍ସ ସାମିଲ କରିବାକୁ ଯାଉଛି । ଆସନ୍ତା ୨୦୨୭ ସୁଦ୍ଧା ରାଜ୍ୟରେ ଏହି ୧୨୦୦ ଆମ୍ବୁଲାନ୍ସ ଉପଲବ୍ଧ ହୋଇପାରିବ ବୋଲି ଅନୁମାନ କରାଯାଉଛି । ଏହାସହିତ ପ୍ରତିବର୍ଷ ୩୦୦ ଲେଖାଏଁ ଆମ୍ବୁଲାନ୍ସ ରୋଗୀ ସେବାରେ ନିୟୋଜିତ କରାଯିବା ନେଇ ସରକାରଙ୍କ ଯୋଜନା ରହିଛି । ଏହି ସମସ୍ତ ଆମ୍ବୁଲାନ୍ସରେ ଅ÷ତ୍ୟାଧୁନିକ ସେବା ଉପଲବ୍ଧ ରହିବ, ଫଳରେ ମେଡିକାଲରେ ପହଞ୍ଚିବା ପୂର୍ବରୁ ଆହତମାନେ ପ୍ରାଥମିକ ଚିକିତ୍ସା ପାଇପାରିବେ । ପ୍ରତି ୫୦ ହଜାର ଲୋକଙ୍କ ପାଇଁ ଅତିକମ୍ ରେ ଗୋଟିଏ ଆମ୍ବୁଲାନ୍ସ ଉପଲବ୍ଧ ରହିବ ବୋଲି ସରକାର କହିଛନ୍ତି । ଏହି ଆମ୍ବୁଲାନ୍ସ ସେବା ପାଇଁ ମୋଟ ୧୯୦୬ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟର ଅଧିକାଂଶ ସ୍ଥାନରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ପ୍ରାୟ ୨୫ ମିନିଟ ସମୟ ଲାଗିଯାଉଛି । ଏହା ଭିତରେ କେବେ ରୋଗୀ ଗୁରୁତର ହୋଇ ଯାଉଛନ୍ତି ଏବଂ ଅନେକ ସମୟରେ ଆହତମାନେ ପ୍ରାଣ ହରାଉଥିବା ମଧ୍ୟ ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୪୯ଟି ଆମ୍ବୁଲାନ୍ସକୁ ୧୦୮ ବ୍ୟବସ୍ଥାରେ ନିୟୋଜିତ କରାଯାଇଛି । ଏହାପରେ ମଧ୍ୟ ଆମ୍ବୁଲାନ୍ସରେ ଅଭାବ ରହୁଥିବାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଜରିଆରେ ପର୍ଯ୍ୟାୟକ୍ରମେ ୧୨୦୦ଟି ନୂଆ ଆମ୍ବୁଲାନ୍ସ ସ୍ୱାସ୍ଥ୍ୟ ବିଭାଗରେ ସାମିଲ କରାଯିବ ବୋଲି ଯୋଜନା କରିଛନ୍ତି ରାଜ୍ୟ ସରକାର ।

ନୂଆ ଆମ୍ବୁଲାନ୍ସ ପାଇଁ ଆଗାମୀ ଆର୍ଥିକ ବର୍ଷରେ ୫୧୭ କୋଟି, ୨୦୨୫-୨୬ରେ ୪୬୫ କୋଟି, ୨୦୨୬-୨୭ରେ ୪୦୦ କୋଟି ଏବଂ ୨୦୨୭-୨୮ରେ ୫୨୪ କୋଟି ଟଙ୍କା ବ୍ୟୟ କରିବା ନେଇ ସରକାର ଯୋଜନା ରଖିଛନ୍ତି । ଏହିସବୁ ଆମ୍ବୁଲାନ୍ସର ପରିଚାଳନା ନିମନ୍ତେ ସେଥିରେ ଜିପିଏସ ସିଷ୍ଟମ ଲଗାଯାଇ କଣ୍ଟ୍ରୋଲ ରୁମରୁ ଏହା ଉପରେ ନଜର ରଖାଯିବ ଏବଂ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦିଆଯିବ । ବର୍ତ୍ତମାନ ରାଜ୍ୟରେ ୧୩୬୬ଟି ୧୦୮ ଆମ୍ବୁଲାନ୍ସ ଚାଲୁଥିବା ବେଳେ ୬ଟି ନୌକା ଆମ୍ବୁଲାନ୍ସ ଏବଂ ୬ ହଜାରରୁ ଅଧିକ ଘରୋଇ ଆମ୍ବୁଲାନ୍ସ ସୁବିଧା ଉପଲବ୍ଧ ରହିଛି ।

Get real time updates directly on you device, subscribe now.