ନୂଆଦିଲ୍ଲୀ: ନିକଟରେ ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ବିବାଦ ବିଷୟରେ କିଏ ନ ଜାଣିଛି କହିଲେ । ଏନେଇ ଶନିବାର ମାଳଦ୍ୱୀପ ଏକ ଭାରତୀୟ ବିମାନକୁ ଅନୁମତି ନ ଦେବା କାରଣରୁ ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ରିପୋର୍ଟରୁ ପ୍ରକାଶ ଯେ ମାଳଦ୍ୱୀପ ବାସିନ୍ଦା ଜଣେ ୧୪ ବର୍ଷୀୟ ବାଳକକୁ ବ୍ରେନ୍ ଟ୍ୟୁମର ହୋଇଥିଲା । ଏବଂ ଷ୍ଟ୍ରୋକ୍ କାରଣରୁ ଅବସ୍ଥା ଗମ୍ଭୀର ହୋଇପଡ଼ିଥିଲା । ଏହା ପରେ ତା’ ପରିବାର ତାକୁ ଗୈଫ୍ ଅଲିଫ୍ ୱିଲିଂଗିଲି ସ୍ଥିତ ବାସଭବନରୁ ରାଜଧାନୀ ମାଲେ ଏୟାର ଆମ୍ବୁଲାନ୍ସ ଯୋଗେ ନେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ ଭାରତ ଦ୍ୱାରା ପ୍ରଦାନ କରାଯାଇଥିବା ଡ଼େର୍ନିୟର ବିମାନ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିନଥିଲେ । ଫଳରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ୧୪ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିଲା । ବାଳକର ମୃତ୍ୟୁ ଖବର ଶୁଣି ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମୃତ ବାଳକର ବାପାଙ୍କ ବୟାନ ଅନୁଯାୟୀ ପୁଅକୁ ଷ୍ଟ୍ରୋକ୍ ଆଟାକ୍ ହେବାର ତୁରନ୍ତ ପରେ ମାଲେ ସ୍ଥାନାନ୍ତରିତ କରିବା ପାଇଁ ଆଇଲ୍ୟାଣ୍ଡ ଆଭିଏସନକୁ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା । ସେମାନେ କଲର କୌଣସି ଉତ୍ତର ଦେଲେ ନାହିଁ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଶୀଘ୍ର ଆମ୍ବୁଲାନ୍ସ ସେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେମାନେ ଗୁରୁବାର ସକାଳ ୮:୩୦ରେ ଫୋନ୍ କରି କହିଥିଲେ ଯେ ଏଭଳି ସ୍ଥିତି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଉପଲବ୍ଧ । ପରେ ଏମର୍ଜେନ୍ସି ଏୟାର ଲିଫ୍ଟ ଅନୁରୋଧ କ୍ରମେ ୧୬ ଘଣ୍ଟା ପରେ ବାଳକ ଜଣଙ୍କୁ ମାଲେ ସ୍ଥାନାନ୍ତରିତ କରାଯାଇଥିଲା କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଥିଲା । ଏଥିମଧ୍ୟରେ ଆମ୍ବୁଲାନ୍ସ ପରିଚାଳନା କମ୍ପାନୀଙ୍କ କହିବାନୁଯାୟୀ ବୈଷୟିକ ତୃଟି କାରଣରୁ ଆମ୍ବୁଲାନ୍ସ ସେବା ଯୋଗାଇବାରେ ବିଳମ୍ବ ହୋଇଥିଲା । ତେବେ ବାଳକର ମୃତ୍ୟୁ ସମ୍ପର୍କରେ ଟିପ୍ପଣୀ ଦେଇ ମାଳଦ୍ୱୀପର ସାଂସଦ ମିକେଲ ନସୀମ କହିଛନ୍ତି ଯେ ଭାରତ ପ୍ରତି ରାଷ୍ଟ୍ରପତିଙ୍କ ଶତ୍ରୁତାକୁ ସନ୍ତୁଷ୍ଟ କରିବା ପାଇଁ ଲୋକମାନଙ୍କୁ ନିଜ ପ୍ରାଣ ଦେଇ ମୂଲ୍ୟ ଦେବା ଉଚିତ ନୁହେଁ ।