fbpx

ସିଂହନାଥ ପୀଠରେ ୧୪୪ ଲାଗୁ, ଟି-ବ୍ରିଜ୍ ଦଳଚକଟା ପରେ କଟକଣା

ବଡ଼ମ୍ବା: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସିଂହନାଥ ପୀଠରେ ଆଜି ୧୪୪ ଲାଗୁ କରାଯାଇଛି । ଗୋପିନାଥପୁର ମହାନଦୀ ଟି ବ୍ରିଜରେ ଦଳାଚକଟା ଘଟଣାକୁ ନେଇ କଟକଣା ଜାରି କରାଯାଇଛି । ସେଥିପାଇଁ ଆଜି ଏବଂ ଆସନ୍ତା କାଲି ଶ୍ରଦ୍ଧାଳୁ ମାନଙ୍କୁ ସିଂହନାଥ ପୀଠକୁ ଯିବାପାଇଁ ମନା କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ଦଳାଚକଟା ଯୋଗୁଁ ଟି-ବ୍ରିଜରେ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୦ଜଣ ଆହତ ହୋଇଥିଲେ । ଏହି ଦଳା ଚକଟାରୁ ନିଜକୁ ବଞ୍ଚାଇବା ପାଇଁ କିଛି ଲୋକ ନଦୀକୁ ଡ଼େଇଁ ପଡିଥିଲେ ମଧ୍ୟ । ଏନେଇ ବଡ଼ମ୍ବା ରେ ଥିବା ସିଂହନାଥ ପୀଠରେ ଆଜି ୧୪୪ ଧାରା ଜାରି କରାଯାଇଛି । ସେଥିପାଇଁ ମେଳାରେ ପଡ଼ିଥିବା ଦୋକାନୀଙ୍କୁ ଫେରିଯିବାକୁ ପ୍ରଶାସନ ଅପିଲ କରିଛି । ଏତେ ପରିମାଣରେ ଭକ୍ତଙ୍କ ଭିଡ଼ ହେବ ବୋଲି ଆଶା କରାଯାଇନଥିଲା । ଏଠାରେ ଅଧିକ ଫୋର୍ସ ମୁତୟନ ରହିବା ପାଇଁ କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଟି-ବ୍ରିଜ ଦଳାଚକଟାରେ ୪୫ ବର୍ଷୀୟା ଅଞ୍ଜନା ସ୍ୱାଇଁଙ୍କ ମୃତ୍ୟୁ ଘଟିଛି । ଏନେଇ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ମହାନଦୀ ଉପରେ କିଛି ମାସ ତଳେ ଟି-ବ୍ରିଜ ଲୋକାର୍ପିତ ହୋଇଥିଲା । ମହାନଦୀ ସେତୁର ସିଂହନାଥ ପୀଠକୁ ଟି-ବ୍ରିଜ ସଂଯୋଗ କରିଥାଏ । ମକରମେଳା ପାଇଁ ସିଂହନାଥ ପୀଠରେ ଲକ୍ଷାଧିକ ଲୋକଙ୍କ ସମାଗମ ଯୋଗୁଁ ଦଳାଚକଟା ହୋଇଥିବା ନେଇ ସୂଚନା ମିଳିଥିଲା ।

Get real time updates directly on you device, subscribe now.