fbpx

ସଦଗୁରୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଅନ୍ୟର ଝିଅଙ୍କ ସହ କରୁନାହାନ୍ତି ନିଜ ଝିଅ ପରି ଆଚରଣ

ଚେନ୍ନାଇ: ସଦଗୁରୁଙ୍କ ଆଶ୍ରମରେ ପୋଲିସ । ଜଣେ କି ଦୁଇଜଣ ନୁହଁନ୍ତି ପୂରା ୧୫୦ ପୋଲିସ ଆଶ୍ରମରେ ଚଳାଇଛନ୍ତି ଖୋଳତାଡ । ତାମିଲନାଡୁର ଥୋଣ୍ଡାମୁଥୁରସ୍ଥିତ ଇସା ଫାଉଣ୍ଡେସନ ଆଶ୍ରମରେ ହେଉଥିବା ପୋଲିସ ସର୍ଚ୍ଚରେ ୩ ଡିଏସପି ମଧ୍ୟ ସାମିଲ ହୋଇଛନ୍ତି । ସେଠାରେ ଥିବା ଶ୍ରଦ୍ଧାଳୁଙ୍କ କୋଠରୀ ଖାନତଲାସ ସହ ସେମାନଙ୍କ ବିଷୟରେ ନିଆଯାଉଛି ତଥ୍ୟ । ଏହି କାମ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହେଉଥିବା ଜଣେ ଅଧିକାରୀ କହିଛନ୍ତି।

ତେବେ କାହିଁକି ଏତେ ବଡ ସର୍ଚ୍ଚ ଅପରେସନ ଚାଲିଛି ଆଶ୍ରମରେ?

କଣ ସଦଗୁରୁ କୌଣସି ଅନୈତିକ କାମରେ ଅଛନ୍ତି ଲିପ୍ତ?

ଜଣେ ରିଟାୟର୍ଡ ପ୍ରଫେସର ସଦଗୁରୁଙ୍କ ବିରୋଧରେ ଆଣିଥିଲେ ସଂଗୀନ ଅଭିଯୋଗ । ପ୍ରଫେସର କାମରାଜ ଅଭିଯୋଗ କରିଥିଲେ କି, ତାଙ୍କ ଦୁଇ ଝିଅ ଗୀତା (୪୨) ଓ ଲତା (୩୯)ଙ୍କୁ କୋୟମ୍ବାତୁର ଆଶ୍ରମରେ ବନ୍ଦୀ ରଖାଯାଇଛି । ସଂଗଠନର ଲୋକମାନେ ଲୋକଙ୍କ ବ୍ରେନ ୱାସ କରି ସେମାନଙ୍କୁ ଭୀକ୍ଷୁ କରୁଛନ୍ତି । ସେମାନଙ୍କ ପରିଠାରୁ ଦୂରେଇ ରଖାଯାଉଛି । ଏହି ଅଭିଯୋଗ ଆଧାରରେ କୋର୍ଟ ସଦଗୁରୁ ଓରଫ ଜଗ୍ଗୀ ବାସୁଦେବଙ୍କ ଜୀବନୀ ବିଷୟରେ ଯେତେବେଳେ ଅନୁଧ୍ୟାନ କଲେ, ତାଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ।

ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଏସଏମ ସୁବ୍ରମଣ୍ୟମ ଓ ଭି ସିବଗଣନମ କହିଛନ୍ତି, ଅନୁଗାମୀଙ୍କ ମଧ୍ୟରେ ସଦଗୁରୁ ନାମରେ ପ୍ରସିଦ୍ଧ ଜଗ୍ଗୀ ବାସୁଦେବ ନିଜ ଝିଅକୁ ତ ବାହା କରେଇଛନ୍ତି । ତାଙ୍କ ଝିଅ ଏବେ ବେଶ ଖୁସିରେ ଅଛି । ହେଲେ ଅନ୍ୟ ଝିଅମାନଙ୍କୁ କାହିଁକି ଲଣ୍ଡା କରେଇ, ସଂସାର ବୈରାଗୀ ହେବାକୁ ପ୍ରବର୍ତ୍ତାଉଛନ୍ତି? ଏହା ଉପରେ ସଂଗଠନ ତରଫରୁ କୁହାଯାଇଛି କି, ସଂଗଠନ କାହାରିକୁ ଜବରଦସ୍ତି କରିନାହିଁ । ସେମାନେ ନିଜ ଇଛାରେ ଆସୁଛନ୍ତି ।

ସଂଗଠନ ବିରୋଧରେ ପକ୍ସୋ ମାମଲା ମଧ୍ୟ ରହିଛି । ଗତ ସପ୍ତାହରେ ସଂଗଠନରେ କାମ କରୁଥିବା ଜଣେ ଡାକ୍ତରଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି । ତେଣୁ ପୋଲିସ ସେହି ଦିଗରେ ମଧ୍ୟ ତଦନ୍ତ କରୁଛି । ଜିଲ୍ଲା ଶିଶୁ ସୁରକ୍ଷା ଓ କଲ୍ୟାଣ ବିଭାଗର ଅଧିକାରୀ ପୋଲିସ ସହ ମିଶିଛନ୍ତି । ତଦନ୍ତ ପରେ ରିପୋର୍ଟ କୋର୍ଟରେ ଦାଖଲ ହେବ ଓ କୋର୍ଟ ଯାହା ପଦକ୍ଷେପ ନେବେ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

ତେବେ ସଦଗୁରୁଙ୍କର ବିଶ୍ୱବ୍ୟାପୀ ବହୁ ଭକ୍ତ ରହିଛନ୍ତି । ବିଦେଶରେ ସଦଗୁରୁଙ୍କ ଆଶ୍ରମ ମଧ୍ୟ ରହିଛି । ତାଙ୍କ କାର୍ଯ୍ୟକ୍ରମ ହେଲେ ଲୋକଙ୍କ ମଧ୍ୟ ବେଶ ଆଗ୍ରହ ଦେଖିବାକୁ ମିଳିଥାଏ ।

 

Get real time updates directly on you device, subscribe now.