ୱେଷ୍ଟଇଣ୍ଡିଜ ସିରିଜରେ ଦୁଇ ଜଣ ହେବେ ଅଧିନାୟକ: ବିସିସିଆଇ ନେଉଛି କଡା ପଦକ୍ଷେପ!

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପରାସ୍ତ ପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଆଗାମୀ ୱେଷ୍ଟଇଣ୍ଡିଜ ସିରିଜରେ ଏକ ବଡ ପଦକ୍ଷେପ ନେଇପାରେ ଭାରତୀୟ କ୍ରିକେଟ ବୋର୍ଡ । ତେବେ ଏହି ଗସ୍ତ ପାଇଁ ଜୁନ ୨୬ ତାରିଖରେ ଟିମ ଇଣ୍ଡିଆର ଘୋଷଣା କରାଯାଇପାରେ । କିନ୍ତୁ ଏହି ଗସ୍ତରେ ଭାରତୀୟ ଦଳରେ କିଛିଟା ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ବିଶେଷ କରି ଅଧିନାୟକ ପଦକୁ ନେଇ ବିସିସିଆଇ ଏକ ବଡ ପଦକ୍ଷେପ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତ କିଛି ନୂଆ ତଥା ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ଦେଇପାରେ । ଏହାବ୍ୟତୀତ ଦଳ ପାଇଁ ଭବିଷ୍ୟତର ଅଧିନାୟକ ଖୋଜିବା ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇପାରେ । ତେବେ ଗସ୍ତରେ ପ୍ରଥମେ ଉଭୟ ଦଳ ମଧ୍ୟରେ ଟେଷ୍ଟ ଏବଂ ଦିନିକିଆ ଖେଳାଯିବା ପରେ ଟି-୨୦ ସିରିଜ ଖେଳାଯିବ । ତେବେ ଟେଷ୍ଟ ସିରିଜରେ ଅଧିନାୟକ ଭାବରେ ରୋହିତ ଶର୍ମା ଦାୟିତ୍ୱ ନେବେ, ଏହା ଏକପ୍ରକାର ସୁନିଶ୍ଚିତ । ତେବେ ଦିନିକିଆ ଏବଂ ଟି-୨୦ କ୍ରିକେଟରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଚଳିତବର୍ଷ ଭାରତରେ ଦିନିକିଆ ବିଶ୍ୱକପ ଆୟୋଜନ ହେବାକୁ ଯାଉଛି । ଏହାକୁ ମାତ୍ର ୩ ମାସ ବାକି ଥିବା ବେଳେ ଦିନିକିଆ ଫର୍ମାଟରେ ନୂଆ ଅଧିନାୟକଙ୍କ ଦାୟିତ୍ୱ ଦେବାର ସମ୍ଭାବନା ଖୁବ କମ୍ ରହିଛି । ତେବେ ଯଦି ରୋହିତଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଏ, ତେବେ ଅନ୍ୟ ଜଣେ ଖେଳାଳି ଦଳର ନେତୃତ୍ୱ ନେଇପାରନ୍ତି ।

ତେବେ ଟି-୨୦ ଫର୍ମାଟରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇପାରେ । ୱାର୍କଲୋଡ ମ୍ୟାନେଜମେଣ୍ଟକୁ କମ୍ କରିବା ପାଇଁ ରୋହିତଙ୍କୁ ଏହି ସିରିଜରେ ବିଶ୍ରାମ ଦେଇ ନୂଆ ଖେଳାଳିଙ୍କୁ ସୁଯୋଗ ଦିଆଯାଇପାରେ । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିପାରେ ଟିମ୍ ଇଣ୍ଡିଆର ନୂଆ ଅଦିନାୟକ ପଦ । ଆସନ୍ତା ୨୦୨୪ରେ ହାର୍ଦ୍ଦିକଙ୍କ ନେତୃତ୍ୱ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଖେଳିପାରେ ବୋଲି କୁହାଯାଉଛି । ତେବେ ଏଥିରୁ ମନେ ହେଉଛି କି ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତ ଦୁଇ ଅଧିନାୟକଙ୍କ ନେତୃତ୍ୱ ସିରିଜ ଖେଳିବ ।