Champions Trophy ଖେଳିବେନି କ୍ରିକେଟର ୨ ମହାରଥୀ: ଶ୍ରୀଲଙ୍କା-ୱେଷ୍ଟଇଣ୍ଡିଜକୁ କାହିଁକି ମିଳିଲାନି ଅନୁମତି?

ଓଡ଼ିଶା ଭାସ୍କର: ବହୁ ବାଦ-ବିବାଦରେ ପୂର୍ଣ୍ଣଛେଦ ପଡ଼ି ଆରମ୍ଭ ହେବାକୁ ଯାଉଛି ଚମ୍ପିଆନ୍ସ ଟ୍ରଫି-୨୦୨୫ । ଏଥିପାଇଁ ଖେଳସୂଚୀ ମଧ୍ୟ ଜାରି କରିଛି ଆଇସିସି । କିନ୍ତୁ ଏଥିରେ କ୍ରିକେଟ ଜଗତର ଦୁଇ ମହାରଥୀ ଦଳଙ୍କ ନାମ ସାମିଲ କରାଯାଇ ନାହିଁ । ଅର୍ଥାତ୍ ୨୦୨୫ ଚମ୍ପିଆନ୍ସ ଟ୍ରଫିରୁ ବାଦ୍ ପଡ଼ିଛନ୍ତି ଏହି ଦୁଇ ଦଳ । ଅତୀତରେ ଚମ୍ପିଆନ୍ସ ଟ୍ରଫି ଟାଇଟଲ ହାସଲ କରି ବିଶ୍ୱ ବିଜେତା ହୋଇଥିବା ଏହି ଦୁଇ ଦଳ ଆସନ୍ତା ଟୁର୍ଣ୍ଣାମେଣ୍ଟରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି । ପାକିସ୍ତାନରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫିରୁ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ଚମ୍ପିଆନ୍ସ ଟ୍ରଫି ୨୦୨୫ । ତେବେ ମାର୍ଚ୍ଚ ୯ ତାରିଖରେ ଏହାର ଫାଇନାଲ ମ୍ୟାଚ୍ ଖେଳାଯିବ । ଭାରତ ଏବଂ ପାକିସ୍ତାନ ସମେତ ଏହି ଇଭେଣ୍ଟରେ ମୋଟ ୮ଟି ଦଳ ସାମିଲ ହୋଇଛନ୍ତି । କିନ୍ତୁ ଇଭେଣ୍ଟରୁ ବାଦ୍ ପଡ଼ିଛନ୍ତି ଟୁର୍ଣ୍ଣାମେଣ୍ଟର ପୂର୍ବତନ ଚମ୍ପିଆନ୍ ଟିମ୍ । ଶ୍ରୀଲଙ୍କା ଏବଂ ୱେଷ୍ଟ ଇଣ୍ଡିଜ ଉଭୟ ଦଳକୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଅନୁମତି ମିଳିପାରି ନାହିଁ । ଏହାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ତେବେ ଏଥିପାଇଁ ଦିନିକିଆ ବିଶ୍ୱକପର ପଏଣ୍ଟ ଟେବୁଲ ଦାୟୀ ରହିଛି ।

୨୦୨୩ ଦିନିକିଆ ବିଶ୍ୱକପର ଶ୍ରେଷ୍ଠ ୮ଟି ଦଳ ହିଁ ଚମ୍ପିଆନ୍ସ ଟ୍ରଫିରେ ସାମିଲ ହୋଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ନବମ ସ୍ଥାନରେ ରହିଥିବାରୁ ଏହି ଇଭେଣ୍ଟ ପାଇଁ ଉତ୍ତୀର୍ଣ୍ଣ ହୋଇ ପାରିନାହିଁ । ସେହିପରି ୱେଷ୍ଟ ଇଣ୍ଡିଜ ବିଶ୍ୱକପ୍ ପାଇଁ ମଧ୍ୟ ଚୟନ ହୋଇ ପାରିନଥିଲା । ତେଣୁ ତାକୁ ମଧ୍ୟ ଚମ୍ପିଆନ୍ସ ଟ୍ରଫିରୁ ଦୂରେଇ ରହିବାକୁ ପଡ଼ିଛି । ଉଭୟ ଦଳ ପୂର୍ବରୁ ଚମ୍ପିଆନ୍ସ ଟ୍ରଫି ଉପରେ କବଜା କରି ସାରିଛନ୍ତି । ୱେଷ୍ଟ ଇଣ୍ଡିଜ ୨୦୦୪ ମସିହାରେ ଚମ୍ପିଆନ୍ସ ଟ୍ରଫି ବିଜୟୀ ହୋଇଥିଲା । ଅନ୍ୟପକ୍ଷରେ ଶ୍ରୀଲଙ୍କା ପ୍ରଥମ ତଥା ଏକମାତ୍ର ଆୟୋଜକ ଦଳ ଭାବରେ ଚମ୍ପିଆନ୍ସ ଟ୍ରଫି ବିଜୟୀ ହୋଇଛି । ତେବେ ୨୦୦୨ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ଯୁଗ୍ମ ବିଜେତା ଭାବରେ ଘୋଷଣା ହୋଇଥିଲେ ।