fbpx

ଭାରତ-ଚୀନ ସୀମାରେ ମୁତୟନ ୨ ଯବାନ ନିଖୋଜ, ୧୪ ଦିନ ହେବ ମିଳୁନି ପତ୍ତା, ସେନାର ସର୍ଚ୍ଚ ଅପରେସନ୍ ଜାରି

ନୂଆଦିଲ୍ଲୀ, : ସୀମା ସୁରକ୍ଷା ଦାୟିତ୍ୱରେ ଥିବା ୨ ଯବାନଙ୍କ ନିଖୋଜ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଦୀର୍ଘ ୧୪ ଦିନ ହେବ ସେମାନଙ୍କର କୌଣସି ଖୋଜଖବର ମିଳିପାରୁ ନାହିଁ । ଭାରତ-ଚୀନ ସୀମାରୁ ଏହି ୨ ଯବାନ ନିଖୋଜ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ୨ ଯବାନ ଅରୁଣାଚଳ ପ୍ରଦେଶର ୭ ଗଡ଼ୱାଲ ରାଇଫଲ୍ସର ବୋଲି ଜଣାପଡ଼ିଛି । ଗତ ମାସ ୨୮ ତାରିଖରୁ ନିଖୋଜ ଥିବା ଏହି ୨ ଯବାନ ହେଲେ ହରେନ୍ଦ୍ର ନେଗି ଓ ପ୍ରକାଶ ସିଂ ରାଣା ।

ହରେନ୍ଦ୍ର ଉତ୍ତରାଖଣ୍ଡ ରୂଦ୍ରପ୍ରୟାଗ ଜିଲ୍ଲାର ବାସିନ୍ଦା ହୋଇଥିଲାବେଳେ ପ୍ରକାଶ ହେଉଛନ୍ତି ଉତ୍ତର ପ୍ରଦେଶର ବାସିନ୍ଦା । ସେମାନେ ନଦୀରେ ବୁଡ଼ିଯାଇଥିବା ସେନା ପକ୍ଷରୁ ସନ୍ଦେହ କରାଯାଉଛି । ୩୪ ବର୍ଷୀୟ ପ୍ରକାଶ ଶେଷ ଥର ପାଇଁ ଗତ ମାସ ୨୮ ତାରିଖରେ ତାଙ୍କ ପତ୍ନୀ ମମତାଙ୍କ ସହ ଭିଡିଓ କଲ୍‌ ଜରିଆରେ କଥା ହୋଇଥିଲେ । ତା’ ପରଦିନ ପ୍ରକାଶ ନିଖୋଜ ହୋଇଥିବା ନେଇ ସେନା ପକ୍ଷରୁ ତାଙ୍କ ପତ୍ନୀଙ୍କୁ ସୂଚନା ଦିଆଯାଇଥିଲା ।

ମମତା କହିଛନ୍ତି ଯେ, ଗତ ମାସ ୨୯ ତାରିଖରେ ତାଙ୍କ ସ୍ୱାମୀ ନିଖୋଜ ଥିବା ନେଇ ସେନା ପକ୍ଷରୁ ଫୋନ୍‌ ଆସିଥିଲା । ଭାରତୀୟ ସେନା ପକ୍ଷରୁ ନିଖୋଜ ଯବାନଙ୍କ ତଲାସୀ ଜାରି ରହିଛି । ଅନ୍ୟପକ୍ଷରେ ୟୁପି ଓ ଉତ୍ତରାଖଣ୍ଡ ସରକାର ସେମାନଙ୍କ ଠାବ ପାଇଁ ସେନା ସହ ଯୋଗାଯୋଗରେ ରହିଛନ୍ତି । ତେବେ ଏହି ୨ ଯବାନ କର୍ତ୍ତବ୍ୟରତ ଥିବା ସମୟରେ କିପରି ଅଚାନକ ନିଖୋଜ ହୋଇଗଲେ ତାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇବା ସହ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଛି । ଦୁଇ ଯବାନଙ୍କୁ ତୁରନ୍ତ ଠାବ କରିବା ପାଇଁ ସେମାନଙ୍କ ପରିବାରବର୍ଗ ଦାବି କରିଛନ୍ତି ।

Get real time updates directly on you device, subscribe now.