+୨ ନାମଲେଖା ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଆରମ୍ଭ, ଶୀଘ୍ର କରନ୍ତୁ ଆବେଦନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜରେ ଖାଲିଥିବା ସିଟରେ ତୃତୀୟ ପର୍ଯ୍ୟାୟ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆବେଦନ ପ୍ରକ୍ରିୟା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୮ ତାରିଖରେ ଆବେଦନ ଶେଷ ହେବ ।

ସୂଚନା ଅନୁଯାୟୀ, ୧୧ ତାରିଖରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ୧୩ ଓ ୧୪ ତାରିଖରେ ଶିକ୍ଷାନୁଷ୍ଠାନ ସ୍ତରରେ ପିଲାଙ୍କ ନାମଲେଖା ଅନୁଷ୍ଠିତ ହେବ । ସେହିପରି ଅକ୍ଟୋବର ୧୭ରେ ୱେଟିଂ ତାଲିକାରେ ଥିବା ପିଲାଙ୍କ ନାମଲେଖା ପାଇଁ ପଞ୍ଜୀକରଣ କରାଯିବାକୁ ଥିବା ବେଳେ ୧୯ ତାରିଖ ସୁ୍ଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ ।

ବିଗତ ଦୁଇ ପର୍ଯ୍ୟାୟରେ ୪ ଲକ୍ଷ ୧୧ ହଜାର ୮୨୬ ଜଣ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି । ବିଭିନ୍ନ +୨ କଲେଜରେ ୫,୨୦,୯୨୦ ସିଟ୍ ଉପଲବ୍ଧ ଥିବା ବେଳେ ପ୍ରାୟ ୧ ଲକ୍ଷ ୧୦ ହଜାର ସିଟ୍ ବଳକା ରହିଛି । ଏହି ବଳକା ସିଟ ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଅବେଦନ କରିବା ଲାଗି ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟକୁ ଯାଇ କରିପାରିବେ ।