fbpx

ସ୍ମାର୍ଟସିଟିରେ ସ୍ଥାପନ ହେବ ୨୫ଟି ‘ଆଇକନିକ୍ ଟ୍ରାଫିକ୍ ପୋଷ୍ଟ’: କମିଶନରେଟ୍ ପୋଲିସ ଓ BSCL ପକ୍ଷରୁ କାର୍ଯ୍ୟକାରୀ ହେବ ନୂଆ ଜ୍ଞାନକୌଶଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସେହି ଅନୁସାରେ ଏଠାରେ ଟ୍ରାଫିକ ନିୟନ୍ତ୍ରଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଦିନକୁ ଦିନ ସ୍ମାର୍ଟସିଟି ବିକାଶ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଦୈନନ୍ଦିନ ରାଜଧାନୀକୁ ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଆସିଥାନ୍ତି । ତେବେ ସ୍ମାର୍ଟସିଟିକୁ ସରସ ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ ।

ତେବେ ଖୁବଶୀଘ୍ର ସ୍ମାର୍ଟସିଟିର ଟ୍ରାଫିକ ପୋଷ୍ଟଗୁଡ଼ିକର ରୂପ ବଦଳିବାକୁ ଯାଉଛି । ଟାଫିକ ପରିଚାଳନାକୁ ଅଧିକ ସ୍ମାର୍ଟ କରିବା ଲକ୍ଷ୍ୟରେ ସହରର ୨୫ଟି ଛକରେ ‘ଆଇକନିକ୍ ଟ୍ରାଫିକ ପୋଷ୍ଟ’ ବା ‘ସ୍ମାର୍ଟ ଟ୍ରାଫିକ ପୋଷ୍ଟ’ ସ୍ଥାପନ କରାଯିବ । ସୂର୍ଯ୍ୟାଲୋକକୁ ଉପଯୋଗ କରାଯାଇ ଟ୍ରାଫିକ ପୋଷ୍ଟରେ ଲାଇଟ ଜଳିବା ସହିତ ପଙ୍ଖା ବି ଚାଲିବ । ଟ୍ରାଫିକ କର୍ମଚାରୀଙ୍କ ଯେପରି ବର୍ଷା ଦିନେ ଓଦା ନହେବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସହରର ଟ୍ରାଫିକ ସମସ୍ୟାକୁ ସ୍ମାର୍ଟ ଭାବେ ପରିଚାଳନା କରିବା ପାଇଁ କମିଶନରେଟ୍ ପୋଲିସ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସସିଏଲ) ପକ୍ଷରୁ ଏକ ନୂଆ ଜ୍ଞାନକୌଶଳ ବ୍ୟବହାର କରାଯିବ । ଏଥିପାଇଁ ୩.୬ କୋଟି ଟଙ୍କା ବ୍ୟୟ କରାଯିବା ସହିତ ଆସନ୍ତା ୫ ବର୍ଷ ପାଇଁ ଟ୍ରାଫିକ ପୋଷ୍ଟର ମରାମତି ଦାୟିତ୍ୱ ବିଏସସିଏଲ ପକ୍ଷରୁ ଏକ ଏଜେନ୍ସିକୁ ଦିଆଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ ପାଇଁ ଲକ୍ଷ୍ୟ ରଖାଯାଇଛି ।

ତେବେ ଟ୍ରାଫିକ ପୋଷ୍ଟର ଚାରିକଡ଼ରେ ସୁଦୃଶ୍ୟ ଅକ୍ଷରରେ ଛକର ନାମ ଲେଖାଯିବ । ରାତିରେ ଏହି ଅକ୍ଷରଗୁଡ଼ିକ ଆଲୋକିତ ହୋଇ ଉଠିବ । ପ୍ରଥମ ଥର ପାଇଁ ଏହା ସହରରେ ଆରମ୍ଭ ହେବ । ଏହି ପୋଷ୍ଟଗୁଡ଼ିକରେ ବିଏଲଡିସି ଫ୍ୟାନ, ଶଫ୍ଟ ଗ୍ଲୋ ଲାଇଟ, ମୋବାଇଲ ଚାର୍ଜି ପଏଣ୍ଟ ରହିବ । ସୋଲାର ପାୱାର ସିଷ୍ଟମ ଖଞ୍ଜାଯିବ ଓ ସମସ୍ତ ଉପକରଣ ସୌରଚାଳିତ ହେବ । ଏହି ସୋଲାର ପାୱାର ୫୬ ଘଣ୍ଟା ପାଇଁ ଶକ୍ତି ଯୋଗାଇବାକୁ ସକ୍ଷମ ହୋଇପାରିବ ।

ତେବେ ସବୁଠାରୁ ବଡ଼ କଥା ହେଉଛି, କୌଣସି ଜରୁରୀ ଘୋଷଣା ପାଇଁ ଟ୍ରାଫିକ ପୋଷ୍ଟରେ ଲାଉଡ୍ ସ୍ପିକର ବା ମାଇକ ସୁବିଧା ରହିବ । କୌଣସି ଦୁର୍ଘଟଣା ଘଟିଲେ, ବା କୌଣସି ଯାନ ଖସିଯିବାକୁ ପ୍ରୟାସ କରୁଥିଲେ ସେଥିପାଇଁ ଜରୁରୀକାଳୀନ କଲ୍ ବଟନ ରହିବ । ଟ୍ରାଫିକ କର୍ମଚାରୀ ନଥିଲେ ଜନସାଧାରଣ ମଧ୍ୟ ଏହି ବଟନକୁ ବ୍ୟବହାର କରି ଲୋକଙ୍କୁ ଦୁର୍ଘଟଣା ବିଷୟରେ ସୂଚନା ଦେଇ ପାରିବେ । ଏକାମ୍ର ଛକ, ରାଜମହଲ, ମାଷ୍ଟରକ୍ୟାଣ୍ଟିନ, ଶ୍ରୀୟା, ଆଇଡିବିଆଇ, ସତ୍ୟନଗର, ରୂପାଲି, ବାଣୀବିହାର, ହାଉସିଂ ବୋର୍ଡ, ପଟିଆ, ଡମଣା, ନାଲକୋ, ଜାଭିୟର, ନନ୍ଦନକାନନ, ନିକୋ ପାର୍କ, ରାମମନ୍ଦିର ଆଦି ଜଳଗହଳିପୂର୍ଣ୍ଣ ଛକମାନଙ୍କରେ ଏହି ସ୍ମାର୍ଟ ଟ୍ରାଫିକ ପୋଷ୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.