ନୂଆଦିଲ୍ଲୀ: ଆଇଆଇଟି-ଭୁ ଛାତ୍ରୀ ଦୁଷ୍କର୍ମ ମାମଲାରେ ୩ ଜଣ ବିଜେପି ନେତାଙ୍କ ବିରୋଧରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ତିନି ଜଣ ନେତା ଭାଜପା ନେତା ଜଣାପଡ଼ିବା ପରେ କଂଗ୍ରେସ ପକ୍ଷରୁ ଆକ୍ରମଣ କରାଯାଇଥିଲା । ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ପାର୍ଟି ତରଫରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ଏହି ୩ ନେତାଙ୍କୁ ବହିଷ୍କାର କରିଛି ।
ଗତ ନଭେମ୍ବର ମାସ ୧ ତାରିଖରେ ଏହି ଘଟଣା ଘଟିଥିବା ବେଳେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଥିଲେ । ବନାରସ ହିନ୍ଦୁ ୟୁନିଭରସିଟି କ୍ୟାମ୍ପସ ଭିତରେ ଜଣେ ଛାତ୍ରୀଙ୍କ ସହିତ ୩ ଜଣ ବ୍ୟକ୍ତି ଅସଦାଚରଣ କରିବା ସହ ଛାତ୍ରୀଙ୍କର ଅଶ୍ଲୀଳ ଭିଡିଓ ଶୁଟ୍ କରିଥିଲେ । ଏହି ଘଟଣା ପରେ ଆଇଆଇଟି ପରିସରରେ ଏକ ବଡ଼ଧରଣର ଆନ୍ଦୋଳନ ହୋଇଥିଲା । ପରବର୍ତ୍ତୀ ସମୟରେ ସେହି ମାମଲାରେ ୩୭୬(ଡି) ଧାରା ଲାଗିଥିଲା ।
ଏହି ମାମଲାରେ କଂଗ୍ରେସର ବଡ଼ ନେତ୍ରୀ ଯଥା ପ୍ରିୟଙ୍କା ଗାନ୍ଧି, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ ମଧ୍ୟ ସ୍ୱରଉତ୍ତୋଳନ କରିଥିଲେ । ୩ ଅଭିଯୁକ୍ତଙ୍କ ନାମ କୁଣାଲ ପାଣ୍ଡେ, ସକ୍ଷମ ପଟେଲ ଓ ଆନନ୍ଦ ଚୌହାନ ବୋଲି ଜଣାପଡ଼ିଥିଲା । କୁଣାଲ ଭାଜପାର ମହାନଗର ଆଇଟି ସେଲର ସଂଯୋଜକ, ସକ୍ଷମ ସହଯୋଜକ ଥିବାବେଳେ ଓ ଆନନ୍ଦ ବିଧାନସଭା ନିର୍ବାଚନ ମଣ୍ଡଳୀର ଆଇଟି ସେଲ ସଂଯୋଜକ ରହିଥିଲେ ।