fbpx

ଟେଷ୍ଟ ରାଙ୍କିଙ୍ଗରେ ଟିମ ଇଣ୍ଡିଆର ଦବଦବା: ଟପ୍ ୫ ଅଲରାଉଣ୍ଡର ତାଲିକାରେ ୩ ଭାରତୀୟ ସାମିଲ

ନୂଆଦିଲ୍ଲୀ: ବୁଧବାର ଆଇସିସି ଦ୍ୱାରା ନୂଆ ଟେଷ୍ଟ ରାଙ୍କିଙ୍ଗ ପ୍ରକାଶ ପାଇଛି । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଟିମ ଇଣ୍ଡିଆର ଷ୍ଟାର ଖେଳାଳିମାନଙ୍କ ଜଲୱା ଦେଖିବାକୁ ମିଳିଛି । ବୋଲିଂ ଏବଂ ଅଲରାଉଣ୍ଡର ତାଲିକାରେ ରାଜ କରୁଛନ୍ତି ଭାରତର କ୍ରିକେଟର । ତେବେ ବ୍ୟାଟିଂ ତାଲିକାରେ ସାମାନ୍ୟ ପଛରେ ରହିଯାଇଛନ୍ତି ଭାରତୀୟ ଖେଳାଳି । କିନ୍ତୁ ଅନ୍ୟ ଦୁଇ ବିଭାଗରେ ଟପ୍-୫ ଖେଳାଳିଙ୍କ ମଧ୍ୟରୁ ଟିମ ଇଣ୍ଡିଆର ଖେଳାଳି ସ୍ଥାନ ପାଇଛନ୍ତି ।

ଆଇସିସି ଦ୍ୱାରା ପ୍ରକାଶ ପାଇଥିବା ଅଲରାଉଣ୍ଡର ତାଲିକାରେ ଶ୍ରେଷ୍ଠ ୫ ଖେଳାଳିଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଖେଳାଳି ରହିଛନ୍ତି । ଏକ ଲମ୍ବା ବିରତୀ ପରେ ଦଳକୁ କମବ୍ୟାକ କରିଥିବା ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା(୪୬୦) ମାତ୍ର ଦୁଇଟି ମ୍ୟାଚରେ ହିଁ ଟପ ପୋଜିସନରେ ପହଞ୍ଚି ଯାଇଛନ୍ତି । ଉଭୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଶ୍ରେଷ୍ଠ ଅଲରାଣ୍ଡର ତାଲିକାର ଶୀର୍ଷ ସ୍ଥାନ କବଜା କରିଛନ୍ତି ସାର ଜାଡେଜା । ତେବେ ତାଙ୍କ ପରେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ୱୀନ(୩୭୬) । ଏହି ଦୁଇ ଅଲରାଉଣ୍ଡରଙ୍କ ବ୍ୟତୀତ ଭାରତର ଆଉ ଜଣେ ଖେଳାଳି ମଧ୍ୟ ଟପ୍-୫ ତାଲଇକାରେ ଏଣ୍ଟ୍ରି ମାରି ସାରିଛନ୍ତି । ଅଲରାଉଣ୍ଡର ତାଲିକାରେ ଦୁଇଟି ସ୍ଥାନ ଉପରକୁ ଉଠି ଟପ୍-୫ରେ ସ୍ଥାନ ହାସଲ କରିଛନ୍ତି ଅକ୍ସର ପଟେଲ(୨୮୩) । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ଭାରତର ଏହି ତ୍ରିମୂର୍ତ୍ତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।

ତେବେ ଅନ୍ୟ ପକ୍ଷରେ ବୋଲିଂରେ ମଧ୍ୟ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ୨ ଜଣ ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି । ଏହି ତାଲିକାର ଶୀର୍ଷରେ ଇଂଲଣ୍ଡ ବୋଲଣ ଜେମ୍ସ ଆଣ୍ଡରସନ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ୮୬୪ ରେଟିଂ ପଏଣ୍ଟ ସହ ଅଶ୍ୱୀନ ଏହି ସ୍ଥାନ ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ(୭୯୫) ଏହି ଲିଷ୍ଟର ପଞ୍ଚମ ସ୍ଥାନ ଦଖଲ କରିଛନ୍ତି । ତେବେ ରବିନ୍ଦ୍ର ଜାଡେଜା(୭୬୩) ଏହି ତାଲିକାର ନବମ ସ୍ଥାନରେ ରହିଛନ୍ତି ।

ତେବେ ବ୍ୟାଟିଂ ବିଭାଗରେ ସାମାନ୍ୟ ଫେଲ ମାରିଛି ଟିମ ଇଣ୍ଡିଆ । ଏହି ତାଲିକାର ଟପ୍-୫ରେ କୌଣସି ଭାରତୀୟ ଖେଳାଳି ନଥିବା ବେଳେ ଟପ୍-୧୦ରେ ମାତ୍ର ୨ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଷଷ୍ଠ ଏବଂ ସପ୍ତମ ସ୍ଥାନରେ ଭାରତର ୱିକେଟ କିପର ଋଷଭ ପନ୍ତ ଏବଂ ଅଧିନାୟକ ରୋହିତ ଶର୍ମା ସ୍ଥାନ ପାଇଛନ୍ତି । ଋଷଭ ୭୮୧ ପଏଣ୍ଟ ସହ ଷଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ୭୭୭ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି ରୋହିତ ।

Get real time updates directly on you device, subscribe now.