ଭୁବନେଶ୍ୱର: ଅଦିନିଆ ବର୍ଷା କ୍ଷୟକ୍ଷତି ଦେଖିବେ ବିରୋଧୀ ଦଳ ନେତା ନବୀନ ପଟନାୟକ । ଆସନ୍ତା କାଲି ୪ ଜିଲ୍ଲା ଗସ୍ତ କରିବେ ନବୀନ । ପୁରୀ , ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରପଡ଼ାରେ ଚାଷଜମି ବୁଲି ଦେଖିବେ । କ୍ଷତିଗ୍ରସ୍ତ ଚାଷଜମି ବୁଲିବା ସହ ଚାଷୀଙ୍କୁ ମଧ୍ୟ ଭେଟି ତାଙ୍କ ସହ ଆଲୋଚନା କରିବେ । ଫସଲର ପରିସ୍ଥିତି ଓ କ୍ଷୟକ୍ଷତି ନେଇ ଚାଷୀଙ୍କୁ ପଚାରି ବୁଝିବେ ।
ଫସଲ କ୍ଷତି ନେଇ ସମୀକ୍ଷା ପରେ ୩୦ ତାରିଖ ମଧ୍ୟରେ ମଧ୍ୟରେ ଫସଲ କ୍ଷତି ଆକଳନ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିକ୍ରିୟା ଦେଇଥିଲେ ।
ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ସୂଚନା । ବୀମା କରିଥିବା ଚାଷୀ ଓ କରି ନଥିବା ଚାଷୀ ମଧ୍ୟ ପାଇବେ କ୍ଷତିପୂରଣ ।
କାଲି ସୁଦ୍ଧା ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରି ସାରିଛନ୍ତି । କାଲି ସୁଦ୍ଧା ଅନ୍ୟ ଚାଷୀମାନେ ଆବେଦନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ଟୋଲ୍ ଫ୍ରି ନଂ ୧୪୪୪୭ରେ ଆବେଦନ କରିବାକୁ ଦେଲେ ପରାମର୍ଶ ।
ବୀମା କରିଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନେ ଯେପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କ୍ଷୟ କ୍ଷତି ସଂପର୍କରେ ବୀମା କମ୍ପାନୀ ମାନଙ୍କୁ ସୂଚନା ଦେବେ, ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ବୈଠକର ସୂଚନାରୁ ଜଣାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୨୬ ହଜାର ଚାଷୀ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା କାଲି (ରବିବାର) ସୁଦ୍ଧା ସବୁ ବୀମାଭୁକ୍ତ ଚାଷୀମାନେ ନିଜର ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ ।
ଏହା ସହିତ ବିଭିନ୍ନ ଜିଲ୍ଲାର ପଞ୍ଜୀକୃତ ଚାଷୀ ଭାଇ ଓ ଭଉଣୀ ମାନେ ଅଦିନିଆ ବର୍ଷା ଜନିତ ସେମାନଙ୍କର ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତିର ସୂଚନା ତୁରନ୍ତ “କୃଷି ରକ୍ଷକ” ପୋର୍ଟାଲ ମାଧ୍ୟମରେ କିମ୍ବା ୧୪୪୪୭ କୁ କଲ୍ କରି ଜଣାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।