fbpx

ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚରଣ ନିଗମ ଲିମିଟେଡ(ଓପିଟିସିଏଲ)ରେ ୪୧୨ ଜଣଙ୍କୁ ମିଳିଲା ନିଯୁକ୍ତି

ଓଡିଶା ଭାସ୍କର; ଯୁବ ଶକ୍ତି ପାଇଁ ନୂଆ ସୁଯୋଗ ଆଣିଛନ୍ତି ରାଜ୍ୟ ସରକାର । ଆଜି ୪୧୨ ଜଣଙ୍କୁ ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚରଣ ନିଗମ ଲିମିଟେଡ(ଓପିଟିସିଏଲ)ରେ ନିଯୁକ୍ତି ପ୍ରଦାନ କରାଯାଇଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୧୬୧ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ୧୯୭ ଜଣ ଇଲେକ୍ଟ୍ରିକାଲ ଟେକ୍ନିସିଆଲ ଏବଂ ୫୪ ଜଣ କାର୍ଯ୍ୟାଳୟ ସହାୟକ ଭାବେ ନିଯୁକ୍ତି ପାଇଛନ୍ତି ।

ଏହି ଅବସରେ ନବ ନିଯୁକ୍ତଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶାସନ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ୫-ଟି ମନ୍ତ୍ର ଆପଣେଇଥିବା ମତ ରଖିବା ସହ ସମସ୍ତ ନୂତନ ବୃତ୍ତିଗତମାନଙ୍କୁ ୫-ଟି ମନ୍ତ୍ରର ଅନୁପାଳନ କରିବାକୁ ଆହ୍ୱାନ ଦେଇଥିଲେ । ୫-ଟି ମନ୍ତ୍ର ଅନୁପାଳନ ଦ୍ୱାରା ଆମେ ନିଶ୍ଚିତଭାବେ ରାଜ୍ୟବାସୀଙ୍କୁ ଗୁଣାତ୍ମକ, ନିରାପଦ ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଇଦେବାକୁ ନେଇ ଆମର ଲକ୍ଷ୍ୟ ହାସଲ କରିପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ସ୍ଥାନୀୟ ଯୁବକଙ୍କ ପାଇଁ ପ୍ରାୟ ୩୦୦ ପଦବୀ ସୃଷ୍ଟି କରାଯାଇଥିବା ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେହପିରି ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଉଲ୍ଲେଖ କରିବା ସହ ଏହାର ଅଗ୍ରଗତି ଉପରେ ସେ ବ୍ୟକ୍ତିଗତ ଭାବେ ନଜର ରଖିବେ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଦ୍ୟୁତ୍‌ ଉତ୍ପାଦନ ବୃଦ୍ଧି ତଥା ପରିବହନ ଏବଂ ବିତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ତାଙ୍କ ସରକାର ବିଦ୍ୟୁତ୍‌ କ୍ଷେତ୍ରରେ ଯଥେଷ୍ଟ ବିନିଯୋଗ କରୁଛନ୍ତି । ବର୍ତ୍ତମାନ ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ ଅଟେ । ୨୦୦୦ ମସିହାରେ ରାଜ୍ୟରେ ବିଜୁଳି ଉପଭୋକ୍ତାଙ୍କ ସଂଖ୍ୟା ୧୬ଲକ୍ଷରୁ ବର୍ତ୍ତମାନ ତାହା ୯୭ ଲକ୍ଷକୁ ବୃଦ୍ଧି ପାଇଛି । ରାଜ୍ୟ ବର୍ଷବ୍ୟାପୀ ଏହାର ସର୍ବାଧିକ ବିଜୁଳି ଆବଶ୍ୟକତା ୫୩୦୦ ମେଗାୱାର ବିଜୁଳି ଚାହିଦାକୁ ସହଜରେ ପୂରଣ କରିପାରୁଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ।

Get real time updates directly on you device, subscribe now.