ରୁମ୍ ହିଟର ସାଜିଲା କାଳ, ଶ୍ୱାସରୁଦ୍ଧରୁ ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ପ୍ରାଣ
ଅସହ୍ୟ ଥଣ୍ଡାରୁ ବର୍ତ୍ତିବା ପାଇଁ ଘରେ ଲଗାଇ ଶୋଇଥିଲେ ରୁମ୍ ହିଟର, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୫ଜଣଙ୍କ ପ୍ରାଣ
ନୂଆଦିଲ୍ଲୀ: ଘର ଭିତରେ ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୫ଜଣଙ୍କ ପ୍ରାଣ ଚାଲିଯାଇଛି। ଏହି ଘଟଣା ଜମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ରବିବାର ଦିନ ଘଟିଛି। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ, ଏହି ଆଶ୍ଚର୍ଯ୍ୟଜନକ ଘଟଣା ଶ୍ରୀନଗରର ପନ୍ଦ୍ରାଥନ ଅଞ୍ଚଳରେ ଘଟିଛି, ଏଠାରେ ଗୋଟିଏ ପରିବାରର ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କର ୩ଜଣ ଶିଶୁଙ୍କର ଶ୍ୱାସରୁଦ୍ଧ ଘଟି ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି।
ଏହି ପରିବାର ପ୍ରବଳ ଥଣ୍ଡା ପାଇଁ ଶୋଇବା ଘରେ ରୁମ ହିଟର ଭାବେ ଖୋଲା ଆଞ୍ଚ ଲଗାଇ ଶୋଇଥିଲେ। ଯାହା ଦ୍ୱାରା ବିଷାକ୍ତ ଧୁଆଁ ପାଇଁ ଶ୍ୱାସରୁଦ୍ଧ ଘଟିଛି। ତେବେ ପରିବାରର ଏହି ୫ଜଣ ଲୋକଙ୍କୁ ଡାକ୍ତରଖାନା ନିଆଯିବା ପରେ ସେଠାରେ ଏମାନଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ବାରାମୂଳାରୁ ଆସି ଶ୍ରୀନଗରର ପନ୍ଦ୍ରାଥନ ଅଞ୍ଚଳରେ ଏହି ପରିବାର ଭଡ଼ା ରହୁଥିଲେ। ପ୍ରବଳ ଥଣ୍ଡା ପାଇଁ ରୁମ ହିଟର ଏବଂ ଖୋଲା କୋଇଲା ଆଞ୍ଚର ବ୍ୟବହାର କାର୍ବନ ମୋନୋଅକ୍ସାଇଡ ବିଷାକ୍ତତା ପ୍ରସାରିତ କରିଥାଏ, ଯାହାର ପରିଣାମସ୍ୱରୂପ ମୃତ୍ୟୁ ଘଟିଥାଏ। ଅଧିକାରୀମାନେ ଲୋକଙ୍କୁ ଖୋଲା ଆଞ୍ଚ ଲଗାଇ ଶୋଇବାକୁ ବାରଣ କରିଆସିଛନ୍ତି।