fbpx

ଭାରତୀୟ ପାଣିପାଗ ବିଭାଗର ସୂଚନା: ଉତ୍ତର ଭାରତରେ ଆହୁରି ୫ ଦିନ ଘନ କୁହୁଡ଼ି

ନୂଆଦିଲ୍ଲୀ : ସମଗ୍ର ଉତ୍ତର ଭାରତରେ ଘନ କୁହୁଡ଼ିର ଆସ୍ତରଣ ଗତ କିଛିଦିନ ହେବ ଦେଖିବାକୁ ମିଳିଛି । ଏପରିକି ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହାର ସାଂଘାତିକ ପ୍ରଭାବ ଅନୁଭୂତ ହେଉଛି । ଦିନ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦେଖାଯାଉ ନଥିବାରୁ ଏକାଧିକ ବିମାନ ଓ ଟ୍ରେନ୍ ଚଳାଚଳରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଆହୁରି ୫ ଦିନ ଘନକୁହୁଡ଼ି ଲାଗି ରହିବ ବୋଲି ସୂଚନା ଦିଆଯିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି । ପରବର୍ତ୍ତୀ ବିମାନ ଉଡ଼ାଣ ପର୍ଯ୍ୟନ୍ତ ଯୋଗାଯୋଗରେ ରହିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ।

ସେପଟେ ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନ ଗୋଟିଏ ସପ୍ତାହ ବନ୍ଦ ରହିବା ପରେ ସୋମବାରଠାରୁ ଖୋଲା ଯାଇଛି । ତେବେ ଘନକୁହୁଡ଼ିକୁ ଦୃଷ୍ଟିରେ ରଖି ସ୍କୁଲ ପରିଚାଳନା ସମୟକୁ ସୀମିତ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରୁ ଉଡାଣ ଭରିବାକୁ ଥିବା ୧୬୮ଟି ବିମାନ ଚଳାଚଳରେ ବିଳମ୍ବ ଘଟିଛି । ୮୪ଟି ବିମାନକୁ ସଂପୂର୍ଣ୍ଣ ରୂପେ ବାତିଲ କରି ଦିଆଯାଇଛି । ଇଣ୍ଡିଗୋ, ସ୍ପାଇସ୍ଜେଟ୍ ଏବଂ ଭିସ୍ତାରା ଭଳି ପ୍ରମୁଖ ବିମାନ ସେବା କମ୍ପାନୀ ଏ ନେଇ ସେମାନଙ୍କ ୱେବସାଇଟ୍ରେ ଯାତ୍ରୀଙ୍କୁ ସତେନ କରାଇଛନ୍ତି । ସେପଟେ କୁହୁଡ଼ି କାରଣରୁ ୧୮ଟି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । କୁହୁଡ଼ି ସମୟରେ ସତର୍କତାର ସହ ଗାଡ଼ି ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.