fbpx

ରାଜ୍ୟରେ ରହିବନି ଡାକ୍ତର ଅଭାବ: ନିଯୁକ୍ତି ପାଇବେ ୫ ହଜାର ନୂଆ ଡାକ୍ତର, ମଞ୍ଜୁରୀ ଦେଲେ ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । ନିୟମିତ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ନିଯୁକ୍ତି ପ୍ରକ୍ରିୟାକୁ ସମୀକ୍ଷା କରିବା ସହିତ ବିଭାଗୀୟ ମୁଖ୍ୟମନ୍ତ୍ରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥାନ୍ତି । ତେବେ ଏଣିକି ରାଜ୍ୟରେ ଡାକ୍ତର ଅଭାବ ରହିବନି । ରାଜ୍ୟରେ ୫ ହଜାର ନୂଆ ଡାକ୍ତର ପଦବୀ ପୂରଣ ହେବ ।

‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟରୁ ଡାକ୍ତର ଅଭାବ ଦୂର କରିବା ପାଇଁ ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ (ଓଏମଏଚସି) କ୍ୟାଡରରେ ୫ ହଜାର ନୂଆ ଡାକ୍ତର ପଦ ସୃଷ୍ଟି କରାଯାଇଛି । ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର (ଏଲଟିଏମଆରଓ) ପାହ୍ୟାରେ ଏହି ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଏ ନେଇ ପ୍ରମୁଖ ମହାଲେଖାକାରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପତ୍ର ଲେଖି ଜଣାଇଛନ୍ତି ।

ଗତ ବର୍ଷ ନଭେମ୍ବର ମାସରେ ରାଜ୍ୟ ସରକାର ଏଲଟିଏମଆରଓ ପାହ୍ୟାରେ ୨ ହଜାର ନୂଆ ଡାକ୍ତର ପଦ ସୃଷ୍ଟି କରିଥିବା ବେଳେ ପୁଣି ୫ ହଜାର ହଜାର ସୃଷ୍ଟି କରାଯାଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ଏକ ଡାକ୍ତର ବଳକା ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ୬୮୯ ଜଣ ଡାକ୍ତର, ୩୨ଟି ଉପଖଣ୍ଡ ଚିକିତ୍ସାଳୟରେ ୪୮୦ ଜଣ ଡାକ୍ତର ନିଯୁକ୍ତି ହେବେ । ପ୍ରତି ଉପଖଣ୍ଡ ଚିକିତ୍ସାଳୟ ପାଇଁ ୧୫ଟି ଲେଖାଏଁ ପଦ ସୃଷ୍ଟି କରାଯାଇଥିବା ବେଳେ ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ୩୭୫୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ୭ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୧ଟି ଓ ପ୍ରତି ସିଏଚସିରେ ୧୦ ଜଣ ଲେଖାଏଁ ଡାକ୍ତର ନିଯୁକ୍ତି ପାଇବେ ।

Get real time updates directly on you device, subscribe now.