fbpx

ଦିଗବିଜୟଙ୍କୁ ୫୦ ଲକ୍ଷ…, ଜାଣନ୍ତୁ ଲୋକସଭା ନିର୍ବାଚନରେ ଲଢ଼ିବା ପାଇଁ ରାହୁଲଙ୍କୁ ମିଳିଥିଲା କେତେ ଟଙ୍କା ?

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଛି ଲୋକସଭା ନିର୍ବାଚନ ୨୦୨୪ । ଅଧିକାଂଶ ସ୍ଥାନରେ ବାଜି ମାରିଥିଲା ବିଜେପି କିନ୍ତୁ କଂଗ୍ରେସର ପ୍ରଦର୍ଶନ ମଧ୍ୟ ଉତ୍ତମ ରହିଥିଲା । ଏହି ନିର୍ବାଚନରେ କଂଗ୍ରେସ ଏହାର ଲୋକସଭା ପ୍ରାର୍ଥୀଙ୍କ ଉପରେ ଖର୍ଚ୍ଚ କରିଥିବା ଅର୍ଥର ବିବରଣୀ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଥିଲା ।

ବାସ୍ତବରେ ନିର୍ବାଚନ ପ୍ରଚାରରେ ଜଣେ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ରହିଥିବା ବେଳେ ରାଜନୈତିକ ଦଳଗୁଡ଼ିକ ପାଇଁ ଏପରି କୌଣସି ସୀମା ଲାଗୁ ନାହିଁ । ଜାନୁଆରୀ ୨୦୨୨ରେ ନିର୍ବାଚନ ଅୟୋଗଙ୍କ ସୁପାରିଶ ଆଧାରରେ ସରକାର ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଖର୍ଚ୍ଚ ସୀମା ୭୦ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୯୫ ଲକ୍ଷ ଟଙ୍କା ଏବଂ ବିଧାନସଭା ନିର୍ବାଚନ ପାଇଁ ୨୮ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୪୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ । ଏଜେନ୍ସୀ ଅନୁଯାୟୀ ଦଳ ପାଣ୍ଠିରୁ ରାହୁଲ ଗାନ୍ଧୀଙ୍କ ପାଇଁ ୭୦-୭୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲା । ରାହୁଲ ଉଭୟ ରାୟବରେଲି ଏବଂ ୱାୟନାଡ଼ରୁ ନିର୍ବାଚନ ଲଢ଼ିଥିଲେ ଏବଂ ଦୁଇଟି ଆସନରୁ ବିଜୟ ଲାଭ କରିଥିଲେ । ପରେ ସେ ୱାୟନାଡ଼ ଆସନ ଛାଡ଼ି ରାୟବରେଲି ଅସନ ଚୟନ କରିଥିଲେ । କହିରଖୁଛୁ କଂଗ୍ରେସ ସଂସଦୀୟ ନିର୍ବାଚନରେ ୯୯ଟି ଆସନ ଜିତିଥିଲା ଯେଉଁଥିରୁ ରାହୁଲ ୨ ଆସନ ଜିତିଥିଲେ । କିଶୋରୀ ଲାଲ ଶର୍ମା(ଯିଏକି ବିଜେପିର ପୂର୍ବତନ ସାଂସଦ ସ୍ମୃତି ଇରାନୀଙ୍କୁ ପରାସ୍ତ କରିଥିଲେ), କେ ସି ବେଣୁଗୋପାଲ(କେରଳର ଅଲପୁଝା), ମଣିକମ୍ ଟାଗୋର(ତାମିଲନାଡୁର ବିରୁଦ୍ଧ ନଗର), କଂଗ୍ରେସ ପ୍ରାର୍ଥୀ ରାଧାକୃଷ୍ଣ(କର୍ଣ୍ଣାଟକର ଗୁଲବର୍ଗା) ଏବଂ ବିଜୟ ଇନ୍ଦର ସିଙ୍ଗଲା(ପଞ୍ଜାବର ଆନନ୍ଦପୁର ସାହିବ)ଙ୍କୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ୭୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ସେହିଭଳି କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଏବଂ ଦିଗବିଜୟ ସିଂହ(ଉଭୟ ହାରିଯାଇଛନ୍ତି)ଙ୍କୁ ୪୬ ଲକ୍ଷ ଏବଂ ୫୦ ଲକ୍ଷ ଟଙ୍କା ଦିଆଯାଇଥିଲା । ତେବେ କଂଗ୍ରେସ ହିମାଚଳପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରନାୱତଙ୍କ ବିରୋଧରେ ଲଢ଼ିବା ପାଇଁ ବିକ୍ରମାଦିତ୍ୟ ସିଂହଙ୍କୁ ସର୍ବାଧିକ ୮୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲା । କିନ୍ତୁ ସେ ଏହି ଆସନରୁ ପରାସ୍ତ ହୋଇଥିଲେ ।

ଲୋକସଭା ନିର୍ବାଚନ ପାଇଁ ସଂଶୋଧିତ ବ୍ୟୟ ସୀମା ଛୋଟ ରାଜ୍ୟ ଏବଂ ବଡ଼ ରାଜ୍ୟ ପାଇଁ ଭିନ୍ନ ଅଟେ । ଗତ ମାସ କଂଗ୍ରେସ ଲୋକସଭା ନିର୍ବାଚନ ଏବଂ ଅରୁଣାଚଳ ପ୍ରଦେଶ, ସିକ୍କିମ୍‌, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଜ ‘ଆଂଶିକ ନିର୍ବାଚନ ବ୍ୟୟ ବିବରଣୀ’ ନିର୍ବାଚନ ଅୟୋଗଙ୍କୁ ପ୍ରଦାନ କରିଥିଲା ।

Get real time updates directly on you device, subscribe now.