fbpx

ଦେଶରେ ଅକ୍ସିଜେନର ଅଭାବ; ବିଦେଶରୁ ଆମଦାନୀ ହେବ ୫୦,୦୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍

ନୁଆଦିଲ୍ଲୀ, ୧୬ା୪ (ଓଡିଶା ଭାସ୍କର) : ଦେଶରେ କରୋନା ପୁଣିଥରେ ତାର ପ୍ରଭାବ ଆରମ୍ଭ କରିଦେଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଯାହା ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅକ୍ସିଜେନ୍ ର ମାତ୍ରା କମ୍ ହେଉଥିବା ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହେଉଛି । ତେଣୁ ଅକ୍ସିଜେନ୍ ପାଇଁ ଏବେ ବିଦେଶ ଉପରେ ନିର୍ଭର କରିଛି ଭାରତ । ବର୍ତ୍ତମାନ କେନ୍ଦ୍ର ସରକାର ବିଦେଶରୁ ଅକ୍ସିଜେନ୍ ଆମଦାନୀ କରିବେ । ପାଖାପାଖି ୫୦,୦୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ଅକ୍ସିଜେନ୍ ବିଦେଶରୁ ଆମଦାନୀ ହେବ ବୋଲି ସୁଚନା ମିଳିଛି । ଏଥିସହିତ ପିଏମ୍ କେୟାର ଫଣ୍ଡରୁ ୧୦୦ ନୁଆ ହସ୍ପିଟାଲ୍ ରେ ଅକ୍ସିଜେନ୍ ପ୍ଲାଣ୍ଟ ଲଗାଯିବା ନେଇ ଯୋଜନା କରାଯାଇଛି ।


ଏହି ଅକ୍ସିଜେନ୍ ଆସିବାପରେ ଦେଶରେ ୧୨ଟି ରାଜ୍ୟକୁ ଯୋଗାଇ ଦିଆଯିବ । ଏଥିସହିତ ଆବଶ୍ୟକତା ଅନୁସାରେ ବିଭିନ୍ନ ରାଜ୍ୟରେ କରୋନାର ପ୍ରଭାବକୁ ଆଖି ଆଗରେ ରଖି ଅକ୍ସିଜେନ୍ ଯୋଗାଯିବ । ଏଥିପାଇଁ ସ୍ୱାସ୍ଥ୍ୟ ଓ ବୈଦେଶିକ ମନ୍ତ୍ରାଳୟକୁ ସମସ୍ତ ପ୍ରକ୍ରିୟା ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୧୨ଟି ରାଜ୍ୟ ହେଲା ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ଛତିଶଗଡ, ପଞ୍ଜାବ, ହରିୟାଣା, ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ଗୃହ ମନ୍ତ୍ରାଳୟକୁ ଏହି ଆମଦାନୀ ପ୍ରକ୍ରିୟା ବାବଦରେ ଅବଗତ କରାଯାଇଛି । ସେହିପରି କେନ୍ଦ୍ର ସରକାର ଗୁରୁବାର କହିଥିଲେ ଯେ, ଅକ୍ସିଜେନ ଯେପରି ନଷ୍ଟ ନହେବ ସେନେଇ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ । ଅକ୍ସିଜେନ୍ ପ୍ରଚୁର ମାତ୍ରାରେ ଉପଲବ୍ଧ ଅଛି । ଦେଶରେ ଅକ୍ସିଜେନ୍ ପାଇଁ ପ୍ରାୟ ୭୧୨୭ ଏମଟିର ପର୍ୟ୍ୟାପ୍ତ ଉତ୍ପାଦନ କ୍ଷମତା ରହିଛି । ଏହାକୁ ଆବଶ୍ୟକତା ଅନୁସାରେ ବ୍ୟବହାର କରାଯାଇଛି । ଦେଶରେ ଦୈନିକ ୭୧୨୭ ଏମଟି ଅକ୍ସିଜେନ୍ ଉତ୍ପାଦନ ହେଉଛି ।

 

Get real time updates directly on you device, subscribe now.