fbpx

୬୩୨ରେ ପହଞ୍ଚିଲାଣି ମୃତ୍ୟୁସଂଖ୍ୟା, ଜାତିସଂଘ କହିଲା ବିଗତ ଏକ ଶତାବ୍ଦୀ ମଧ୍ୟରେ ଏହା ଥିଲା ଆଫ୍ରିକାରେ ସବୁଠାରୁ ବଡ ଭୂକମ୍ପ

ନୂଆଦିଲ୍ଲୀ: ମରକ୍କୋରେ ଶୁକ୍ରବାର ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୬୩୨ରେ ପହଞ୍ଚିଲାଣି । ଏହା ସହିତ ୩୨୯ ଜଣ ଆହତ ହୋଇଥିବା ବେଳେ ୫୦ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଏଠାରେ ସୂଚାଇ ଦିଆଯାଇପାରେ ଉତ୍ତର ଆଫ୍ରିକୀୟ ଦେଶରେ ସଂଘଟିତ ଏହି ଭୟଙ୍କର ଭୂମିକମ୍ପର ମାତ୍ରା ରିକ୍ଟର ସ୍କେଲରେ ୬.୮ ଥିଲା ।

ଜାତିସଂଘର ଭୂତତ୍ତ୍ୱ ଅନୁସନ୍ଧାନ ସଂସ୍ଥା (ୟୁଏସଜିଏସ୍‌) କହିଛି ବିଗତ ଏକ ଶତାବ୍ଦୀ ମଧ୍ୟରେ ଏହା ହେଉଛି ଉତ୍ତର ଆଫ୍ରିକୀୟ ଦେଶରେ ଅନୁଭୂତ ସବୁଠାରୁ ଭୟଙ୍କର ଭୂମିକମ୍ପ । ସ୍ଥାନୀୟ ସମୟ ରାତି ଘ୧୧.୧୧ମି. ସମୟରେ ମାରାକେଶର ଦକ୍ଷିଣପଶ୍ଚିମରୁ ୭୧ କିଲୋମିଟର ଦୂରରେ ଏହି ଭୂକମ୍ପ ସଂଘଟିତ ହୋଇଥିଲା । ଏହି ଭୂମିକମ୍ପର ପ୍ରଭାବ ଆଫ୍ରିକାର ଅନ୍ୟାନ୍ୟ ସମୁୁଦ୍ର ଉପକୂଳ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି ।

ମରକ୍କୋର ସେନା ସୂତ୍ରରୁ ଜଣାଯାଇଛି ଏହି ପ୍ରଳୟଙ୍କାରୀ ଭୂକମ୍ପ ପରେ ସମସ୍ତ ଅଧିବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ଏହି ପ୍ରଳୟଙ୍କାରୀ ଭୂକମ୍ପକୁ ନେଇ ଏବେ ବିଶ୍ୱର କୋଶ ଅନୁକୋଣରୁ ମରକ୍କୋ ପ୍ରତି ସମ୍ବେଦନା ଓ ସାହାଯ୍ୟର ହାତ ଲମ୍ବି ଆସିଛି । ଭାରତର ପ୍ରଧାନମନ୍ତ୍ରୀ ଜି୨୦ ସମ୍ମିଳନୀରେ ମରକ୍କୋବାସୀଙ୍କୁ ସମ୍ବେଦନା ଜଣାଇବା ସହ ସାରା ଭାରତ ସେମାନଙ୍କ ସହ ରହିଛିି ବୋଲି କହିଛନ୍ତି । ଏହା ବ୍ୟତିତ ଜାତିସଂଘ କହିଛି ଆମେ ଯେ କୌଣସି ମୁହୂର୍ତ୍ତରେ ମରକ୍କୋବାସୀଙ୍କ ସହାୟତା କରିବାକୁ ପ୍ରସ୍ତୁତ ହୋଇ ରହିଛୁ ।

Get real time updates directly on you device, subscribe now.