fbpx

ମହଙ୍ଗା ମାଡ଼: ୬ ଲକ୍ଷ ପରିବାର କରିନାହାନ୍ତି ଗ୍ୟାସ୍ ଫିଲିଂ, ରୋଷେଇ କରୁଛନ୍ତି ଚୁଲିରେ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ-ଡିଜେଲ ସାଙ୍ଗକୁ ଗ୍ୟାସର ମହଙ୍ଗା ଋତୁ ଚାଲିଛି । ତେବେ ଏହି ମହଙ୍ଗାର କରୁଣ ପରିଣତି କେତେ ଭୟଙ୍କର ହୋଇପାରେ, ତା’ର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ । ରାଜଧାନୀ ଶିମଲାରେ ବର୍ତ୍ତମାନ ପେଟ୍ରୋଲ ଲିଟର ୯୯ ଟଙ୍କା ୨୨ ପଇସା ରହିଥିବା ବେଳେ ଡିଜେଲ ଲିଟର ୮୯ ଟଙ୍କା ରହିଛି । ତେବେ କରୋନା ପାଇଁ ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ବେଳେ ପୁଣି ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେବା ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି ।

NITI ଆୟୋଗର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ରାଜ୍ୟରେ ପ୍ରାୟ ୨୯ ପ୍ରତିଶତ ଉପଭୋକ୍ତା ଘରୋଇ ଗ୍ୟାସ ସିଲିଣ୍ଡର ଫିଲିଂ କରିନାହାନ୍ତି । ମୋଟ ୨୩ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୬ ଲକ୍ଷ ୬୭ ହଜାରରୁ ଅଧିକ ପରିବାର ଗତ ଏକ ବର୍ଷ ମଧ୍ୟରେ ଗ୍ୟାସ ଭରି ନାହାନ୍ତି । ତେବେ ଏହି ଅବସ୍ଥା ଗ୍ରାମାଞ୍ଚଳଳେ ବେଶି ଦେଖିବାକୁ ମିଳୁଥିବା ବେଳେ ଲୋକମାନେ ପାରମ୍ପରିକ ଚୁଲିରେ କାଠ ଜଳି ରୋଷେଇ କରୁଥିବା ଦେଖାଯାଉଛି । ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୯୩୧.୫୦ ଟଙ୍କା ଥିବା ବେଳେ ସବସିଡି ମାତ୍ର ୩୧.୮୩ ଟଙ୍କା ମିଳୁଛି । ଅପରପକ୍ଷେ କମର୍ସିଆଲ ସିଲିଣ୍ଡର ୧୬୯୬ ଟଙ୍କା ରହିଛି । ସରକାର ଗୃହିଣୀ ସୁବିଧା ଯୋଜନାରେ ଗତ ୩ ବର୍ଷରେ ପ୍ରାୟ ୩ ଲକ୍ଷ ୧୬ ହଜାର ନୂଆ କନେକ୍ସନ ଦେବା ସହ ଉଜ୍ଜ୍ୱଳା ଯୋଜନାରେ ମଧ୍ୟ ଅନେକ ଉପଭୋକ୍ତାଙ୍କୁ ଯୋଡ଼ିଛନ୍ତି । ଏନେଇ ଜଣେ ବ୍ୟକ୍ତି କହିଛନ୍ତି ଯେ, ଭଗବାନଙ୍କ ନାମକୁ ଛାଡ଼ି ଏ ଦୁନିଆରେ ସାଧାରଣ ଲୋକଙ୍କ ପାଇଁ ଅନ୍ୟ ସବୁ ମହଙ୍ଗା ହୋଇଗଲାଣି । ସେହିପରି ମହଙ୍ଗା ଯୋଗୁଁ ପରିବାରର ୬ ଜଣ ସଦସ୍ୟଙ୍କ ମୁହରେ ଆହାର ଦେବା ପାଇଁ ୭୨ ବର୍ଷରେ ମଧ୍ୟ ପ୍ରାଇଭେଟ୍ ଚାକିରି କରୁଛନ୍ତି ବୋଲି କହିଛନ୍ତି ଆଉ ଜଣେ ବୃଦ୍ଧ ବ୍ୟକ୍ତି ।

Get real time updates directly on you device, subscribe now.