ଲିଫ୍ଟ ଦେବା ବାହାନାରେ ୬୫ ବର୍ଷର ମହିଳାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

୬୫ ବର୍ଷର ବୃଦ୍ଧାଙ୍କ ସହ ଦୁଷ୍କର୍ମ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ହମୀରପୁରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ୬୫ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରାଯାଇଛି।

ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ହମୀରପୁରର ଭୋଟା ଅଞ୍ଚଳରେ ଜଣେ ବ୍ୟକ୍ତି ୬୫ ବର୍ଷୀୟ ମହିଳାଙ୍କୁ ନିଜ ସ୍କୁଟିରେ ଲିଫ୍ଟ ଦେବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତିଜଣକ ଟ୍ରାକ୍ଟର ଚାଳକ ଅଟନ୍ତି। ଏହି ମାମଲାର ଯାଞ୍ଚ କରାଯାଉଛି।

ହମୀରପୁର ପୋଲିସ ଅଧିକ୍ଷକ ଭଗତ ସିଂହ ଠାକୁର କହିଛନ୍ତି ଯେ, ଏହି ଘଟଣା ସେହି ସମୟରେ ହୋଇଛି ଯେଉଁ ସମୟରେ ଏହି ବୃଦ୍ଧା ଶନିବାର ରାତିରେ ଜାଳନ୍ଧରରୁ ନିଜ ଘରକୁ ଫେରୁଥିଲେ।

ସେ କହିଛନ୍ତି ଯେ, ମହିଳାଜଣକ ରାତି ପାଖାପାଖି ୯ଟାରେ ବସ ଖୋଜୁଥିଲେ, ସେହି ସମୟରେ ତାଙ୍କୁ କୌଣସି ଅଟୋ କି ବସ୍ ମିଳିନଥିଲା। ଏହି ସମୟରେ ଅଭିଯୁକ୍ତ ତାଙ୍କୁ ସ୍କୁଟିରେ ଲିଫ୍ଟ ଦେଇଥିଲେ।