fbpx

ଦେଶରେ ୬୮.୭ ପ୍ରତିଶତ ମହିଳା କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନର ସାମନା କରନ୍ତି: ସର୍ଭେ

ନୂଆଦିଲ୍ଲୀ,୦୮ । ୦୫ (ଓଡ଼ିଶା ଭାସ୍କର)  : ପ୍ରତିଦିନ ଅନେକ ମହିଳା କର୍ମକ୍ଷେତ୍ରରେ ଯୌନ ଶୋଷଣର ସମ୍ମୁଖୀନ ହେଉଛନ୍ତି । ହେଲେ ସବୁଠାରୁ ଦୁଃଖର ବିଷୟ ଯେ ସେମାନେ ଏହି ଘଟଣାକୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ । ୱମେନ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଦେଶର ୬୮.୭ ପ୍ରତିଶତ ମହିଳା ଏପରି ଅଛନ୍ତି ଯେଉଁମାନେ କାହା ଉପରେ ଅଭିଯୋଗ କରିନାହାଁନ୍ତି । ଏହି ସର୍ଭେ ଭାରତରେ ଯୌନ ଉତ୍ପୀଡ଼ନ ଉପରେ ବାର୍ଷିକ ସମୀକ୍ଷାର ପ୍ରଥମ ସଂସ୍କରଣର ଏକ ଅଂଶ ।

ଦୁର୍ଭାଗ୍ୟବଶତଃ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ କାର୍ୟ୍ୟରତ ମହିଳାମାନଙ୍କ ପାଇଁ ଏକ ସାଧାରଣ ସମସ୍ୟା ପାଲିଟି ଯାଇଛି । ଏପରି ସଂସ୍ଥାନ ରହିଛି ଯେଉଁ ଠାରେ ମହିଳା ମାନଙ୍କୁ ଖରାପ ନଜରରେ ଦେଖାଯାଏ । ହେଲେ ଚାହିଁ ମଧ୍ୟ ସେମାନେ ଏନେଇ କାହା ଆଗରେ ସେମାନଙ୍କ ଦୁଃଖ ପ୍ରକାଶ କରନ୍ତି ନାହିଁ । ପଛଘୁଞ୍ଚା ଦିଅନ୍ତି । ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ଅଭିଯୋଗ ନକରିବାର ମୁଖ୍ୟ କାରଣ ହେଉଛି ପ୍ରକ୍ରିୟାରେ ଆତ୍ମବିଶ୍ୱାସର ଅଭାବ ଓ କ୍ୟାରିୟର୍ ଚିନ୍ତା । ମହିଳା ମାନେ ଅଭିଯୋଗ କରନ୍ତି ନାହିଁ । ଏହା ବଦଳରେ କାର୍ଯ୍ୟରୁ ଓହରି ଯାଆନ୍ତି ନହେଲେ ବାଧ୍ୟ ହୋଇ ସେସବୁକୁ ସହି ଉକ୍ତ ସଂସ୍ଥାରେ ପହି ରହନ୍ତି । ଏଥିପାଇଁ ଅଭିଯୁକ୍ତମାନେ ଦଣ୍ଡ ପାଇବାରୁ ବଞ୍ଚିତ ହୋଇଯାଉଛନ୍ତି । ସର୍ଭେ ସମୟରେ ଯେତେବେଳେ ପଚରାଗଲା ଯେ ଜଣେ କର୍ମଚାରୀ ସେମାନଙ୍କ ସହକର୍ମୀଙ୍କ ଉପସ୍ଥିତି ଯୋଗୁଁ ଅସହଜ ଅନୁଭବ କରୁଛନ୍ତି କି? ୭୦% ରୁ ଅଧିକ ଉତ୍ତରଦାତା ‘ହଁ’ ଉତ୍ତର ଦେଇଛନ୍ତି ।

ସାଧାରଣତଃ ନିୟମ ଅନୁଯାୟୀ ଯୌନ ଉତ୍ପୀଡ଼ନ କେବଳ ଅବାଞ୍ଛିତ ଶାରୀରିକ ସମ୍ପର୍କ ନୁହେଁ ବରଂ ମହିଳା ସହକର୍ମୀଙ୍କ ସହ ପୁରୁଷଙ୍କ ବ୍ୟବହାରକୁ ଓ ଆଚରଣକୁ ମଧ୍ୟ ସୂଚିତ କରିଥାଏ । ମିଥ୍ୟା / ଦୁଷ୍କର୍ମ ଅଭିଯୋଗର ଶ୍ରେଣୀକରଣ ବିଷୟରେ ୪୬.୨ ପ୍ରତିଶତ ଆଇସି / ଏଲସି ସଦସ୍ୟ କହିଛନ୍ତି ଯେ, ଏପରି ବର୍ଗୀକରଣ ମହିଳାମାନଙ୍କୁ ସେମାନଙ୍କର ଅଭିଯୋଗ ସହିତ ଆଗକୁ ଆସିବାକୁ ପ୍ରତିରୋଧ କରେ ।

କର୍ମକ୍ଷେତ୍ରରେ ମହିଳା ମାନେ ଅନେକ ପ୍ରକାରର ଯୌନ ଉତ୍ପୀଡନର ସାମନା କରନ୍ତି । ସେଗୁଡିକ ହେଲା; ଛୁଇଁବା ଓ ଅନ୍ୟ ଅବାଞ୍ଛିତ ଶାରୀରିକ ସମ୍ପର୍କ ଯେପରିକି ଚୁମ୍ବନ କିମ୍ବା ଭଲ ପାଇବା, ଯୌନ ଅନୁଗ୍ରହ ପାଇଁ ବାଧ୍ୟକରିବା, ଯୌନ ସମ୍ବନ୍ଧୀତ କିଛି କହିବା, ଅଶ୍ଳୀଳତା ଦେଖାଇ ଜଣେ ବ୍ୟକ୍ତିର ଯୌନ ଆଭିମୁଖ୍ୟ କିମ୍ବା ଯୌନ ଜୀବନ ବିଷୟରେ ମନ୍ତବ୍ୟ ଦେବା ଇତ୍ୟାଦି ।

Get real time updates directly on you device, subscribe now.