ବିନା ସାର୍ଟରେ ସ୍କୁଲରୁ ଘରକୁ ଫେରିଲେ ୧୦ମ ଶ୍ରେଣୀ ଛାତ୍ରୀ, ପେନ୍ ଡେ’ ପାଳିବାରୁ ରାଗିଲେ ପ୍ରିନ୍ସିପାଲ
ସ୍କୁଲର ୮୦ଜଣ ଛାତ୍ରୀଙ୍କ ସାର୍ଟ ଖୋଲିଲେ ପ୍ରିନ୍ସିପାଲ । କେବଳ ବ୍ଲେଜର ପିନ୍ଧି ଘରକୁ ଆସିଲେ ଦଶମ ଣ୍ରେଣୀ ଛାତ୍ରୀ ।
ଧାନବାଦ୍: ଝାଡଖଣ୍ଡରୁ ବିବ୍ରତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଦାଙ୍ଗବାଦରେ ଥିବା ଏକ ଘରୋଇ ବିଦ୍ୟାଳୟରେ ୮୦ଜଣ ଛାତ୍ରୀଙ୍କ ସାର୍ଟ ଖୋଲିଛନ୍ତି ପ୍ରିନ୍ସିପାଲ । ଗୁରୁବାର ପିଲାମାନଙ୍କ ପରୀକ୍ଷା ଶେଷ ହୋଇଥିବାବେଳେ ସେମାନେ ପେନ୍ ଡେ’ ପାଳୁଥିଲେ ।
ଛାତ୍ରୀମାନେ ପରସ୍ପର ସାର୍ଟରେ କଲମରେ ମେସେଜ ଲେଖିବା ସହିପାରିଲେନି ପ୍ରିନ୍ସିପାଲ, ଯାହାଫଳରେ ସେ ଛାତ୍ରୀମାନଙ୍କୁ ସାର୍ଟ ଖୋଲିବାର ନିର୍ଦ୍ଦେଶ ଦେଲେ । ପ୍ରିନ୍ସିପାଲଙ୍କ ଆଦେଶକୁ ମାନି ଛାତ୍ରୀମାନେ ସ୍କୁଲରେ ସାର୍ଟ ଖୋଲିବା ସହ କେବଳ ବ୍ଲେଜର ପିନ୍ଧି ଘରକୁ ଫେରିଥିଲେ ।
ମନା କଲେ ପ୍ରିନ୍ସିପାଲ : ଏ ନେଇ ଛାତ୍ରୀମାନଙ୍କ ଅଭିଭାବକ ଥାନାରେ ଅଭିଯୋଗ କଲାପରେ ଘଟଣା ଲୋକଲୋଚନାକୁ ଆସିଛି । ଅଭିଯୋଗ ପରେ ଡେପୁଟି କମିଶନର ମାଧବୀ ମିଶ୍ରା ଶନିବାର ୫ ଜଣିଆ କମିଟି ଗଠନ କରି ଘଟଣା ଯାଞ୍ଚ ଆରମ୍ଭ କରିଛନ୍ତି ।
ଏପରି କିଛି ଘଟି ନ ଥିବା କହିଛନ୍ତି ସ୍କୁଲ ପ୍ରିନ୍ସିପାଲ । ସେ ପିଲମାନଙ୍କୁ ସାର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇ ନ ଥିବାବେଳେ କେବଳ ଉପଯୁକ୍ତ ୟୁନିଫର୍ମ ପରିଧାନ କରିବାକୁ ପରାମର୍ଶ ଦେଇଥିବା କହିଛନ୍ତି ।
ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏ ପ୍ରକାର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଉଥିବାବେଳେ ଝରିଆ ଅଞ୍ଚଳ ବିଧାୟିକା ରାଗିଣୀ ସିଂ କହିଛନ୍ତି, ଘଟଣାପରେ ଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବେ ଡରିଯାଇଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟରା ବୋଲି ସେ କହିଛନ୍ତି ।
ଥାନାରେ ଦାୟର ଏଫଆଇଆର୍ ଅନୁସାରେ ଫାଇନାଲ ଏଗ୍ଜାମ ପୂର୍ବରୁ ପିଲାମାନେ ସ୍କୁଲରେ ପେନ୍ ଡେ’ ପାଳୁଥିଲେ । ପରସ୍ପର ସୋର୍ଟରେ ମେସେଜ ଲେଖିବା ଦେଖି ପ୍ରିନ୍ସିପାଲ ରାଗିଯାଇ ସାର୍ଟ ଖୋଲିବାର ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ୧୦ ଶ୍ରେଣୀ ଛାତ୍ରୀମାନେ କେବଳ ବ୍ଲେଜର ପିନ୍ଧି ସ୍କୁଲରୁ ଘରକୁ ଫେରିିଥିଲେ ।
ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି ଏସଡିଏମ୍ ରାଜେଶ କୁମାର । ସ୍କୁଲର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଯାହା ସାହାଯ୍ୟରେ ଘଟଣାର ସତ୍ୟସତ୍ୟ ଜଣାପଡ଼ିବ ବୋଲି ସେ ଆଶା ରଖିଛନ୍ତି ।