ସ୍ତ୍ରୀକୁ ବ୍ୟକ୍ତିଗତ ସମ୍ପତ୍ତି ଭାବନ୍ତି ୧୦ରୁ ୯ ଜଣ ପୁରୁଷ: ସର୍ଭେରୁ ହେଲା ବଡ ଖୁଲାସା

ନୂଆଦିଲ୍ଳୀ: ସମାଜ ବିଂଶ ଶତାବ୍ଦୀରେ ପାଦ ଦେଇଥିଲେ ହେଁ ସମାଜରେ ରହିଥିବା ପିତୃସତ୍ତାତ୍ମକ ଚିନ୍ତାଧାରାରେ କୌଣସିୁ ପରିବର୍ତ୍ତନ ଘଟୁନାହିଁ । ନିକଟରେ ହୋଇଥିବା ଏକ ସର୍ଭେରୁ ଚମକାଇ ଦେବା ଭଳି ସୂଚନା ସାମ୍ନାକୁ ଆସିଛି । ପ୍ରତି ୧୦ ଜଣରେ ୯ ଜଣ ଭାରତୀୟ ସ୍ତ୍ରୀକୁ ବ୍ୟକ୍ତିଗତ ସମ୍ପତ୍ତି ଭାବରେ ତୁଳନା କରିଥାନ୍ତି । ଭାରତରେ ୮୭ ପ୍ରତିଶତ ସ୍ୱାମୀ କୁହନ୍ତି କି ସେମାନଙ୍କ ସ୍ତ୍ରୀ ସେମାନଙ୍କୁ ମାନିବା ଦରକାର । ପିଉ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ମିଳିଛି । ଆମେରିକୀୟ ଥିଙ୍କ ଟ୍ୟାଙ୍କ ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ୨୯୯୯୯ ଭାରତୀୟ ପୁରୁଷଙ୍କୁ ନେଇ ୨୦୧୯ରୁ ୨୦୨୦ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେ ଫଳାଫଳ ଆସିବା ପରେ ମହିଳା ମାନେ ସମାଜରେ କିଭଳି ଅବହେଳିତ ଅଛନ୍ତି ତାହା ପ୍ରତୀୟମାନ ହୋଇଛି । ମହିଳାଙ୍କ ସାମାଜିକ ଅଧିକାର କିଭଳି ଭାବରେ କ୍ଷୁର୍ଣ୍ଣ ହୋଇଛି ତାହା ଦେଖିବାକୁ ମିଳିଛି ।

ଏହା ସହିତ ବିଭିନ୍ନ ଧର୍ମା ଆଧାରରେ ଏବଂ ୧୭ଟି ସ୍ଥାନୀୟ ଭାଷା ଆଧାରରେ ମଧ୍ୟ ଏହି ସର୍ଭେ କରାଯାଇଥିଲା । ପ୍ରତି ୧୦ ଜଣରେ ୮ ଜଣ ପୁରୁଷ ମହିଳାଙ୍କୁ ସମାନ ଅଧିକାର ପାଇଁ ଦାବି କରୁଥିବା ବେଳେ ନିଜର ପିତୃସତ୍ତାତ୍ମକ ଅଧିକାର ଜାହିର କରିବାରେ କିନ୍ତୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେହିପରି ଯଦି କମ ଚାକିରି ରହିଛି ତାହେଲେ ପୁରୁଷ ମାନେ ମହିଳାଙ୍କ ଅପେକ୍ଷା ଅଧିକ ଯୋଗ୍ୟ ବୋଲି ୮୦ ପ୍ରତିଶତ ପୁରୁଷ ବିଶ୍ୱାସ କରିଥାନ୍ତି । ସମାଜର ୮୭ ପ୍ରତିଶତ ପୁରୁଷ ସ୍ତ୍ରୀ ମାନି ଚଳିବା ଉପରେ ବିଶ୍ୱାସ କରୁଥିବା ବେଳେ ସମୁଦାୟ ସମାଜର ୬୪ ପ୍ରତିଶତ ଲୋକ ଏଥିରେ ବିଶ୍ୱାସ କରିଥାନ୍ତି । ଆଶ୍ଚର୍ଯ୍ୟ ଜନକ ଭାବରେ ୬୧ ପ୍ରତିଶତ ମହିଳା ମଧ୍ୟ ଏଥିରେ ସହମତି ଜତାଇଛନ୍ତି । ଜୟଲଳିତା, ମମତା ବାନାର୍ଜୀ ଓ ସୁଷମା ସ୍ୱରାଜଙ୍କ ପରି ନେତୃତ୍ୱ ପରେ ମଧ୍ୟ ମହିଳା ନେତୃତ୍ୱ ଉପରେ ସମ୍ପୂର୍ଣ୍ଣ ଭରସା ଆସିନାହିଁ ।

ପୁରୁଷ ଏବଂ ମହିଳା ନେତୃତ୍ୱ ନେବା ପାଇଁ ସମାନ ଭାବରେ ଯୋଗ୍ୟ ବୋଲି ୫୫ ପ୍ରତିଶତ ଲୋକ ଚିନ୍ତା କରୁଥିବା ବେଳେ ମାତ୍ର ୧୪ ପ୍ରତିଶତ ଲୋକ ମହିଳାଙ୍କ ନେତୃତ୍ୱ ଉପରେ ଭରସା କରିଥାନ୍ତି । ପରିବାର ଗଠନ ସମୟରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିବା ଉପରେ ସମାନ ଭାବରେ ଗୁରୁତ୍ୱ ଦେଇଛନ୍ତି । ୯୪ ପ୍ରତିଶତ ଲୋକ ପୁଅ ରହିବା ପାଇଁ ଆଶା କରୁଥିବା ବେଳେ ଏହା ବାଦ ଗୋଟିଏ ଝିଅ ରହିବା ନେଇ ୯୦ ପ୍ରତିଶତ ଲୋକ ସହମତି ଜତାଇଛନ୍ତି । ୬୩ ପ୍ରତିଶତ ଭାରତୀୟ ପରିବାର ଚିନ୍ତା କରିଥାନ୍ତି କି ମୃତ୍ୟୁ ପରେ ପୁଅ ହିଁ ଅନ୍ତିମ ସଂସ୍କାର କରିବ । ୭୪ ପ୍ରତିଶତ ମୁସଲିମ ଏହି ବିଶ୍ୱାସ ରଖୁଥିବା ବେଳେ ୬୭ ପ୍ରତିଶତ ଜୈନ ଏବଂ ୬୩ ପ୍ରତିଶତ ହିନ୍ଦୁ ଏହି ବିଶ୍ୱାସ ରଖିଥାନ୍ତି । ତେବେ ଶିଖ ସମ୍ପ୍ରଦାୟରେ ମାତ୍ର ୨୯ ପ୍ରତିଶତ, ଇସାଇ ୪୪ ପ୍ରତିଶତ ଓ ବୁଦ୍ଧିଷ୍ଟ ମାନେ ୪୬ ପ୍ରତିଶତ ଏଭଳି ଧାରାରେ ବିଶ୍ୱାସ ରଖିଥାନ୍ତି ।